
ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସଂସ୍କୃତିକ ପରିଷଦ ରାଉରକେଲା ସ୍ଥାନୀୟ ସିଭିକ ସେଣ୍ଟର ପ୍ରେକ୍ଷାଳୟରେ ସମ୍ବଲପୁରୀ ଦିନ ପାଳନ କରିଛି । ସମ୍ବଲପୁରୀ କବି ତଥା ଭାଷାବିତ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସକୁ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଉଥିବାରୁ ତାଙ୍କ ଫଟୋଚିତ୍ର ଓ ମା’ ସମଲେଶ୍ୱରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଅନୁଷ୍ଠାନର ସଭାପତି ସ୍ୱରୂପ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ସମ୍ବଲପୁରୀ ଦିନ ପାଳନରର ଆଭିମୁଖ୍ୟ ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୀବନୀ ଓ ସୃଜନ ସମ୍ପର୍କରେ ସାମାନ୍ୟ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଯୋଗଦେଇ ସମ୍ବଲପୁରୀ ସଂସ୍କୃତିକୁ ସୁଦୁର ପ୍ରସାରୀ ତଥା ଅନ୍ୟ ସଂସ୍କୃତି ସହ ସାଂସ୍କୃତିକ ସମନ୍ୱୟ ପାଇଁ ଅନୁଷ୍ଠାନ କରୁଥିବା ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଆ ଅଧ୍ୟାପିକା ରଜନୀ କୁଜୁର ତାଙ୍କ ବକ୍ତବ୍ୟରେ କହିଲେ ଯେ, ସାମ୍ପ୍ରତିକ ସମୟର ଭିନ୍ନ ସଂସ୍କୃତିର ମୁକ୍ତ ପ୍ରବାହରେ ନିଜର ମୌଳିକ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାକୁ ହେଲେ ସମ୍ବଲପୁରୀ ଦିନ୍ ପାଳନ ଯଥେଷ୍ଟ ଗୁରୁତ୍ୱ ବହନ କରେ । ପରିଷଦର କଳାକାରମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କଲା ପରେ ଲାଠିକଟାରୁ ଆସିଥିବା ରାଧାକୃଷ୍ଣ ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଅନୁରୂପ ଭାବେ ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ଵାରା ଚୁଟକୁଚୁଟା ନୃତ୍ୟ, କୁଆଁରମୁଣ୍ଡାର ଘୁଙ୍ଗୁରୁ ଡ୍ୟାନ୍ସ ଏକାଡେମୀ ଓ ସାଧନା ଡ୍ୟାନ୍ସ ଗ୍ରୁପ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ପରିଷଦର କଳାକାର ସତ୍ୟବ୍ରତ ନାଏକ, ଲୀନା ନାଏକ ଓ ରବିଚନ୍ଦ୍ର ପୁରୋହିତ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଆର୍ଏସ୍ପିର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି ଅନୁଷ୍ଠାନକୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଡ଼ା. ସୁବୋଧ ମେହେର, ଶୁଭେନ୍ଦୁ ପଣ୍ଡା, ମଦନ ବେହେରା, ଅଶୋକ ଭଇଁଶା, ଏରିଅର ଜାଲ, ହେମନ୍ତ ଭୋଇ, କେଶବ ସେଠ, ଗୌରୀ ପ୍ରଧାନ, ନରେନ୍ଦ୍ର ମିଶ୍ର, ଶୁଭ୍ରାଂଶୁ ବଡ଼ପଣ୍ଡା, ପଦ୍ମଲୋଚନ ବାଗ, ନିବାସ ଦାଶ, ଉମେଶ ବେହେରା, ମଦନ ବେହେରା, ଅଙ୍ଗରୋଜ ଛନ୍ଦ, ଶ୍ରୀପତି ତ୍ରିପାଠୀ, କୁନାଲ ମେହେର, ପ୍ରଶାନ୍ତ ପ୍ରଧାନ, କୁଳମଣି ନାୟକ, ସଂଯୁକ୍ତା ପଲେଇ, ସୁଶ୍ରୀତା ମିଶ୍ର, ଇପ୍ସିତା ପଣ୍ଡା ସହଯୋଗ କରିଥିଲାବେଳେ ଭଗବାନ ପତି, ଡ଼. ବିଜୟ ସାହୁ, କୁଞ୍ଜ ବିହାରୀ ସାହୁ , ଅଜୟ ମିଶ୍ର, ନରେନ୍ଦ୍ର ତ୍ରିପାଠୀ, ପୀତବାସ ପ୍ରଧାନ, ଡ଼ଃ. ଗଜେନ୍ଦ୍ର ମେହେର, ବିମଳ ବିଶି ଅନୁଷ୍ଠାନର ଉପଦେଷ୍ଟା ଓ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ । ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ ଧନ୍ୟବାଦ ଦେଇଥିଲା ବେଳେ ପ୍ରବୀର ମିଶ୍ର ଓ ବନ୍ଦନା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।