
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ଓ ସଦର ବ୍ଲକର ସୀମା ରହିଥିବା ଐତିହ୍ୟ ସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ରବିବାର ଗାଈବାହାଲ ପଞ୍ଚାୟତର ଅର୍ଡା ଗାଁର କଲ୍ୟାଣ ମଣ୍ଡପରେ ଏ ନେଇ ଦେଓଗାଁ ବ୍ଲକ ବଲାଙ୍ଗିର ସଦର ବ୍ଲକ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ କରି ଗଣମାଧ୍ୟମ ଜରିଆରେ ଏହି ଦାବି ରଖାଯାଇଛି । ଅଞ୍ଚଳବାସୀ ଦାବି କରିଛନ୍ତି ଯେ, ବୁଢାଡଙ୍ଗର ପାହାଡ ଯାହାକି ୪୯୦ହେକ୍ଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ଏହାକୁ ୭ଟି ଗ୍ରାମ୍ୟ ମୌଜା ଲାଗିରହିଛି । ଏହି ପାହାଡ ସହିତ ବଲାଙ୍ଗିର ପାଟଣାଗଡ ଜାତ ରାଜ୍ୟ ସମୟର ଇତିହାସ ଲାଖି ରହିଛି । ୧୨୪୨ ମସିହାରେ ପାଟଣା ରାଜ୍ୟ ଗଠନ ହେବା ପୂର୍ବରୁ ଏହା ଗଣ୍ଡୱାନା ରାଜ୍ୟ ଅନ୍ତର୍ଗତ ଥିଲା । କୁଆଁରୀ ପାଟଣା ଅଞ୍ଚଳର ଗଣ୍ଡ, ସହରା, ବିଞ୍ଝାଲ ଇତ୍ୟାଦି ଆଦିବାସୀମାନେ ଏହି ପାହାଡରେ ତାଙ୍କର ଡଙ୍ଗରବୁଢା ଦେବତାଙ୍କୁ ପୂଜା କରୁଥିଲେ । ସେହି ପରମ୍ପରା ଆଜି ମଧ୍ୟ ଚାଲିଆସିଛି । ପାଟଣାଗଡଜାତର ଜରାସିଂହାର ପ୍ରସିଦ୍ଧ ପାଟଖଣ୍ଡା ଯାତ୍ରା ବେଳେ ପାଟଣାଗଡରୁ ପାଟସିନ୍ଦୁର ଆସିବା ବେଳେ ଏହି ଡଙ୍ଗରବୁଢା ପୀଠରେ ମଧ୍ୟ ଏହାକୁ ପୂଜାର୍ଚ୍ଚନା କରାଯାଏ ଓ ତାପରେ ଜରାସିଂହାକୁ ଯାଇଥାଏ । ମୋଟ ଉପରେ ଆଦିବାସୀଙ୍କ ଏକ ବୃହତ ପରମ୍ପରାର ଏହି ବୁଢାଡଙ୍ଗର ସହିତ ସମ୍ପର୍କ ରହିଛି । ଗଣ୍ଡ ସଂପ୍ରଦାୟର ପୂଜକମାନେ ପ୍ରତିବର୍ଷ ଆଶ୍ୱିନ ଓ ଚୈତ୍ରମାସରେ ଏଠାରେ ପୂଜା କରିଥାଆନ୍ତି । ଡଙ୍ଗରବୁଢା ଯାତ୍ରାରେ ୮୪ ଖଣ୍ଡ ଗ୍ରାମର ଲୋକ ସମ୍ମିଳିତ ହୋଇ ପୂଜା କରିଥାନ୍ତି । ଏବେ କୁଡାସିଂହା, ଶିରିଶ, ଅର୍ଡା, ଗଡଦ୍ୱାର, ରତନପୁର, ଟେକା ଓ ଖଇରବାହାଲି ଗ୍ରାମର ଲୋକେ ଏହି ଡଙ୍ଗରରୁ ଉପକୃତ ହେଉଛନ୍ତି । ଏହି ଡଙ୍ଗରରୁ ବହିଯାଇଥିବା ପ୍ରାୟ ୬ଟି ଝରଣାର ଜଳକୁ ବ୍ୟବହାର କରି ଚାଷକାର୍ଯ୍ୟ କରୁଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସୁଛନ୍ତି । ଅର୍ଡା-ଗଡଦ୍ୱାର ସୀମାରେ ପାହାଡ ଉପରୁ ତଳକୁ ପାଣି ପଡୁଥିବା ଦୁଇଟି ସୁନ୍ଦର ଜଳପ୍ରପାତ ରହିଛି । ପାହାଡ ଉପରେ ଏକ ବିସ୍ତିର୍ଣ୍ଣ ପଥରଚଟାଣ ରହିଛି ଓ ସେଥିରେ ଏକ ପାଣିକୁଣ୍ଡ ରହିଛି । ଏଠାରେ ବର୍ଷ ତମାମ ଜଳଭର୍ତ୍ତି ହୋଇ ରହିଥାଏ । ଝରଣା ଗୁଡିକରେ ପ୍ରାୟ ବର୍ଷସାରା ପାଣି ବହୁଥାଏ । ସେଥିପାଇଁ ସେଠାକୁ ଗାଧୋଇବା ଓ ବଣଭୋଜି ପାଇଁ ହଜାର ହଜାର ଦର୍ଶକ ପ୍ରତ୍ୟହ ଆସୁଛନ୍ତି । ମୁଖ୍ୟତଃ ଆଦିବାସୀଙ୍କ ଧର୍ମୀୟ ଭାବନା ସହିତ ଜଡିତ ଥିବା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପାହାଡକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବାକୁ ଦାବି ଉଠିଛି । ଏବେ ରାଜ୍ୟ ସରକାର ଏଠାରୁ ମାତ୍ର ୧କି.ମି. ଦୂରରେ ସୋନଗଡ ନଦୀରେ ସିକୁଆଁ-ସିଲେଟକନୀଠାରେ ଏକ ଭୂତଳ-ଜଳ ସଂରକ୍ଷଣ କେନ୍ଦ୍ର (ଆଇଏସ୍ଏସ୍) ନିର୍ମାଣ କରିବାକୁ ଯାଉଛନ୍ତି । ଆଗକୁ ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିବ । ବଲାଙ୍ଗିର ସହରରୁ ମାତ୍ର ୨୦କି.ମି. ଦୂରରେ ଥିବା ଏହି ସ୍ଥାନକୁ ସଂଯୋଗ କରୁଥିବା ରତନପୁର-ଅର୍ଡା ରାସ୍ତାକୁ ପ୍ରାୟ ୬କୋଟି ଟଙ୍କାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଉନ୍ନତିକରଣ କରାଇବାକୁ ଯାଉଛନ୍ତି । ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏହି ସ୍ଥାନକୁ ଯିବାକୁ ରାସ୍ତା ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି । ସେ ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟଟନସ୍ଥଳୀ ଘୋଷଣା ନେଇ ଦାବି ଉପସ୍ଥାପନ କରିବାକୁ ଅଞ୍ଚଳବାସୀ ତାଙ୍କ ପାଖରେ ଦାବି ରଖିଥିଲେ । ସେ ମଧ୍ୟ ଏନେଇ ଅନୁଦାନ ଦେଇ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିବା କୁହାଯାଇଛି । ଏବେ ଏହି ସ୍ଥାନକୁ ରତନପୁର-ଅର୍ଡା ମୁଖ୍ୟ ଆର.ଡି ରାସ୍ତାରୁ ନୂତନ ରାସ୍ତାନିର୍ମାଣ, ପାହାଡରେ ବୁଢାଡଙ୍କର ଦେବତାଙ୍କ ପାଇଁ ମନ୍ଦିର ନିର୍ମାଣ, ଝରଣାଗୁଡିକୁ ପର୍ଯ୍ୟଟକମାନେ ଯିବାକୁ ଜଙ୍ଗଲରେ ରାସ୍ତା ନିର୍ମାଣ, ଝରଣା ଜଳକୁ ଅଟକାଇ ଜମି ପାଇଁ ଉପଯୋଗୀ କରିବାକୁ ଚେକ ଡ୍ୟାମ ନିର୍ମାଣ କରିବାକୁ ଦାବି ହୋଇଛି । ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ବଲାଙ୍ଗିର ବିଧାୟକଙ୍କ ଦେଓଗାଁ ବ୍ଲକ ପ୍ରତିନିଧି ସୁଶିଳ ଚାନ୍ଦ, ସଂସ୍କୃତି ଗବେଷକ ତଥା ସାହିତ୍ୟିକ ଉମାଶଙ୍କର ସିଂ, ଯୁବନେତା ପ୍ରଦ୍ୟୁମ୍ନ ହୋତା, ଗାଈବାହାଲ ସରପଞ୍ଚ ତ୍ରିଲୋଚନ ନାଗ, କୁଡାସିଂହା ଗଉଁତିଆ ନିମାଇଁ ଝାଙ୍କର, ଅର୍ଡା ଗଉଁତିଆ ଦୀପକ ନନ୍ଦ, ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ଚାନ୍ଦଲି ମହୋତ୍ସବ କମିଟିର ସଭାପତି ରାଧେଶ୍ୟାମ ମେହେର, ଘାସିରାମ ରଣା, ଯୁବନେତା ଶୈଳେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଲକ୍ଷ୍ମଣ ମେହେର ସୂଚନା ଦେଇଥିଲେ ଯେ, ଦେଓଗାଁ ବ୍ଲକର ପୂର୍ବଦିଗରେ ଭୀମଡୁଙ୍ଗୁରୀ ଓ ପଶ୍ଚିମ ଦିଗରେ ଦେଷଣ୍ଢ ଚାନ୍ଦଲୀପାହାଡକୁ ରାଜ୍ୟସରକାର ପର୍ଯ୍ୟଟନସ୍ଥଳୀ ଘୋଷଣା କରିସାରିଛନ୍ତି । ଏବେ ଦେଓଗାଁର ମଧ୍ୟଭାଗରେ ଥିବା ବୁଢାଡଙ୍ଗରକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରି ଅଞ୍ଚଳର ବିକାଶ କରାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ପାଖରେ ଦୃଢଦାବୀ ରଖାଯିବ ବୋଲି ଶ୍ରୀ ମେହେର ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ବିଳନୀରେ ଶୈଳେନ୍ଦ୍ର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସନ୍ତୋଷ ପଧାନ, ଆଶୀର୍ବାଦ ସାହୁ, କାହ୍ନୁ ମେହେର, ଶ୍ୟାମ ମେହେର, ନରେନ୍ଦ୍ର ପାତ୍ର, କମଲସୁନ୍ଦର ଚାନ୍ଦ, ପରମେଶ୍ୱର ସାହୁ, ଅନିରୁଦ୍ଧ ମାଝୀ, ସତ୍ୟନାରାୟଣ ପାଣ୍ଡେ, ଶିବରାମ ବିଶ୍ୱାଳ, ସମ୍ବିତ ଭୋଇ, ତପନ ବଗର୍ତ୍ତି, ଅଭି ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।