
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ଓ କଟାଡୁଙ୍ଗୁରୀ ଗ୍ରାମ ମଝିରେ ଥିବା ଜଙ୍ଗଲର ଏକ ଗଛରୁ ଜଣେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୁଲିସ ଦ୍ୱାରା ଉଦ୍ଧାର ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ସୁଦ୍ଧା ମୃତବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ । ସ୍ଥାନୀୟ କିଛି ଗ୍ରାମବାସୀମାନେ କାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଏହି ଝୁଲନ୍ତା ମୃତଦେହକୁ ଦେଖି ମୁରିବାହାଲ ଥାନା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ମୃତ ବ୍ୟକ୍ତିଙ୍କ ଆନୁମାନିକ ବୟସ ୪୫ ରୁ ୫୦ବର୍ଷ ମଧ୍ୟରେ ହେଉଥିବା ବେଳେ ସାମାନ୍ୟ ମାନସିକ ବିକୃତି ଯୋଗୁଁ ସେ ଦୀର୍ଘ ଦିନରୁ ଆଖପାଖ ଅଞ୍ଚଳରେ ଭିକ୍ଷା ବୃତ୍ତି କରୁଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଜଣଙ୍କ ଏକ ଗାମୁଛା ଓ ବେନିୟନ ପିନ୍ଧିଥିବା ବେଳେ ଆଉ ଏକ ଗାମୁଛାରେ ଗଛରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କିନ୍ତୁ ମୃତକଙ୍କ ଉଭୟ ଆଣ୍ଠୁ ମାଟିତଳେ ଲାଗିଥିବାରୁ ପ୍ରକୃତରେ ଏହା ଆତ୍ମହତ୍ୟା ନା ତାଙ୍କୁ କେହି ବାହାରେ କେଉଁଠି ହତ୍ୟା କରି ଆଣି ଆତ୍ମହତ୍ୟାର ରୂପ ଦିଆଯାଇଛି ପୁଲିସର ଅଧିକ ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ । ମୃତଦେହଟି ବହୁ ଦିନ ଧରି ଏଠାରେ ଥିବାରୁ ପ୍ରଚୁର ଦୁର୍ଗନ୍ଧ ହେଉଥିବା ଜଣାପଡିଛି । ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡା ଓ ସବଇନ୍ସପେକ୍ଟର ପ୍ରମୋଦ କୁମାର ପଧାନଙ୍କ ସହ ପୁଲିସ କର୍ମଚାରୀ ପହଞ୍ଚି ଅଧିକ ତଦନ୍ତ ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ଥାନାରେ ଅପମୃତ୍ୟୁ କେଶ ନମ୍ବର ୦୭/୨୬ ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।