
ବରଗଡ଼, (ମୁନ୍ନା ସାହୁ) : ବୀରମାଲ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ସୂର୍ଯ୍ୟ କୁମାର ପଣ୍ଡାଙ୍କୁ ନିଆରା ଢ଼ଙ୍ଗରେ ଡ଼ିଜେ ବଜାଇ, କୀର୍ତ୍ତନ କରି ବୀରମାଲ ଗାଁରେ ବିରାଟ ଶୋଭାଯାତ୍ରାରେ ଘରେ ଘରେ ଫୁଲମାଳ ଦେବା ସହ ଗୋଡ଼ ଧୋଇ ଏକ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଗଲା । ଛାତ୍ରଛାତ୍ରୀମାନେ ପୁରୁଣା ଦିନକୁ ମନେ ପକାଇବା ସହ ଗଣିତ ଶିକ୍ଷକଙ୍କ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନକୁ ନେଇ ସମସ୍ତେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ଏହି ଅବସରରେ ବୀରମାଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଦାଶରଥୀ ସାହୁ, କମଳାକାନ୍ତ ପାଣିଗ୍ରାହୀ, ବଳିଷ୍ଠ ସାହୁ, ଜଗନ୍ନାଥ ପ୍ରଧାନ, ନନ୍ଦଳାଲ ସାହୁ , ଚେୟାରମେନ୍ ଡାକ୍ତର ରାଜେନ୍ଦ୍ର ପ୍ରସାଦ ସାହୁ, ବୀରମାଲ ସରପଞ୍ଚ ସୁଷମା ଆଚାର୍ଯ୍ୟ, ସମିତି ସଭ୍ୟ ସଂଯୁକ୍ତା ଭୁଏ ପ୍ରମୁଖ ମଞ୍ଚାସୀନ ହୋଇ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କ ବିଷୟରେ ଗଭୀର ଆଲୋକପାତ କରିଥିଲେ । ଜୀବନର ପ୍ରାୟ ୩୮ ବର୍ଷ ଧରି ଏହି ଗୋଟିଏ ବିଦ୍ୟାଳୟରେ ନିଜର ଶିକ୍ଷାଦାନ କରି ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ଆଖପାଖ ଗାଁ ଅଞ୍ଚଳବାସୀଙ୍କୁ ଗଣିତ ଶିକ୍ଷକ ଜଣକ ଆପଣାର କରି ଦେଇଥିଲେ । ଯାହାକି ତାଙ୍କ ବିଦାୟ ବେଳେ ୬୦୦ରୁ ଅଧିକ ପୂରୁଣା ଛାତ୍ରଛାତ୍ରୀଙ୍କ ସମେତ ହଜାର ସଂଖ୍ୟାରେ ଅଞ୍ଚଳବାସୀ ଯୋଗ ଦେଇ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । କେତେବେଳେ ଆଖି ଛଳ ଛଳ ହୋଇ ପଡ଼ୁଥିଲା ତ କେତେବେଳେ ଛାତ୍ରଛାତ୍ରୀ ଗଦ୍ ଗଦ୍ ହୋଇ ନାଚି ଉଠି ତାଙ୍କ ପ୍ରିୟ ଶିକ୍ଷକଙ୍କୁ ବିଦାୟ ଦେଇଥିଲେ ।