
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳରେ ମଙ୍ଗଳବାର ସକାଳୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମୃତକ ହେଲେ ସୁବନ ତାଣ୍ଡି (୭୯) । ତାଙ୍କ ଘର ପାଟଣାଗଡ଼ ଥାନା ଅନ୍ତର୍ଗତ ଦଲଦଲି ଗ୍ରାମରେ ହୋଇଥିବା ବେଳେ, ସେ ଗତ ପ୍ରାୟ ୨୩ ବର୍ଷ ଧରି କପସିପାଲି ଗ୍ରାମରେ ଚୟେତୁ ଛୁରାଙ୍କ ଫାର୍ମହାଉସରେ ରହି କାମ କରୁଥିଲେ । ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୯ଟା ସମୟରେ ସେ କପସିପାଲି ବସ୍ତିରୁ ଫାର୍ମହାଉସକୁ ଫେରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ପୋଖରୀ ଆଡ଼ି ଉପରେ ଚାଲୁଥିଲେ । ଏହି ସମୟରେ ସେ ଭାରସାମ୍ୟ ହରାଇ ପୋଖରୀ ପାଣିରେ ପଡ଼ିଯାଇଥିବା ଅନୁମାନ କରାଯାଉଛି । ଘଟଣାଟି ରାତିରେ ଏବଂ ନିଛାଟିଆ ସ୍ଥାନରେ ଘଟିଥିବାରୁ କେହି ଏହା ଦେଖିପାରିନଥିଲେ । ମଙ୍ଗଳବାର ସକାଳେ କିଛି ମହିଳା ଶୌଚ ପାଇଁ ଯାଇଥିବା ବେଳେ ପୋଖରୀ ପାଣିରେ ଅଧା ବୁଡ଼ି ରହିଥିବା ଅବସ୍ଥାରେ ବୃଦ୍ଧଙ୍କୁ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପରେ ଗ୍ରାମବାସୀ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଖପ୍ରାଖୋଲ ଅଗ୍ନିଶମ ବିଭାଗର ଏସ୍ଆଇ ଜୟଗୋପାଳ ପଣ୍ଡା ତାଙ୍କ ଟିମ୍ ସହିତ ଏବଂ ଖପ୍ରାଖୋଲ ପୋଲିସ ଏସ୍ଆଇ ଲିଙ୍ଗରାଜ କିଷାନ ପୋଲିସ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଏନେଇ ଖପ୍ରାଖୋଲ ଥାନାରେ ୟୁ.ଡି. କେସ୍ ନଂ ୬/୨୦୨୬ ରୁଜୁ କରାଯାଇଛି । ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ଖପ୍ରାଖୋଲ ଥାନାର ଏସ୍ଆଇ ଲିଙ୍ଗରାଜ କିଷାନ ସୂଚନା ଦେଇଛନ୍ତି ।