
ପଦ୍ମପୁର, (ନିରୋଜ କୁମାର ପାଣୀ) : କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ସହିଦମାନଙ୍କ ସ୍ମୃତିରେ ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ଧର୍ମଶାଳା ଠାରେ ‘ଶହୀଦ ମାଧୋ ସିଂ ସୈନିକ ସଂଘ’ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି । ୧୯୯୯ ମସିହାର କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ଅଦମ୍ୟ ସାହସ, ବୀରତ୍ୱ ଓ ଆତ୍ମ ବଳିଦାନକୁ ସ୍ମରଣ କରି ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭୂତପୂର୍ବ ସୈନିକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସେ କହିଥିଲେ ଯେ, କାର୍ଗିଲର ବରଫାଚ୍ଛାଦିତ ପର୍ବତ ଶୃଙ୍ଗରେ ଭାରତୀୟ ସେନାଙ୍କ ଅସୀମ ସାହସ ଓ ବୀରତ୍ୱ ଯୋଗୁଁ ଆଜି ଦେଶ ସୁରକ୍ଷିତ ରହିଛି । ଆଗାମୀ ପିଢ଼ି ଏହି ବୀର ଯବାନମାନଙ୍କ ଆଦର୍ଶରୁ ପ୍ରେରଣା ନେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ସଂଘର ସଭାପତି ନବୀନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଏବଂ ସମ୍ପାଦକ ସୁବଳ ଗଡ଼ତିଆଙ୍କ ପରିଚାଳନାରେ ଅନୁଷ୍ଠିତ ସମାରୋହରେ ଅମର ସହିଦମାନଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ପାଇକମାଲର ଆରାଧ୍ୟ ଦେବତା ପ୍ରଭୁ ନୃସିଂହନାଥଙ୍କ ଚରଣରେ ଦେଶର ମଙ୍ଗଳ ଓ ସୁରକ୍ଷା କାମନା କରାଯାଇଥିଲା । ସଭାପତି ନବୀନ କୁମାର ପ୍ରଧାନ ଯୁବପିଢ଼ି ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଏହି ଅବସରରେ ବିଧାୟିକା ବର୍ଷା ସିଂ ବରିହା ପାଇକମାଲରେ ଭୂତପୂର୍ବ ସୈନିକମାନଙ୍କ ପାଇଁ ଏକ ସ୍ଥାୟୀ ସଂଘ ଗୃହ ଏବଂ ବୀର ସହିଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଭବ୍ୟ ସହିଦ ସ୍ମାରକୀ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ଏହି ଘୋଷଣାକୁ ଉପସ୍ଥିତ ପୂର୍ବତନ ସୈନିକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ କରତାଳି ମାଧ୍ୟମରେ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ କାର୍ଗିଲ ବିଜୟ ଓ ଦେଶପ୍ରେମ ଉପରେ ବକ୍ତୃତା ପ୍ରତିଯୋଗିତା ଓ ଆଲୋଚନା ମଧ୍ୟ ଆୟୋଜିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ବୀର ସହିଦ ମାନଙ୍କ ପ୍ରତି ଶ୍ରଦ୍ଧା ଜଣାଇଥିଲେ । ଏହାପରେ ସମସ୍ତେ ଧର୍ମଶାଳାରୁ ଏକ ଶୋଭାଯାତ୍ରାରେ ବାହାରି ପାଇକମାଲ ଛକ ଦୁର୍ଗାମନ୍ଦିରରୁ ପୁଣି ମୁଖ୍ୟ ଛକରେ ବିଭିନ୍ନ ନାରା ଦେଇଥିଲେ । ଏହି ସମୟରେ ସୌର୍ଯ୍ୟଚକ୍ର ଉପାଧି ପାଇ ଥିବା ସୈନିକ ଯୁଗଳ ଶବରଙ୍କୁ ସାମ୍ବାଦିକ ସଂଘର ସଭାପତି ବଡ ଶତପଥୀ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ସମସ୍ତେ ମିଶି ଜାତୀୟ ସଙ୍ଗୀତ ଗାନ କରିବା ସହ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା ।