jsm

କେସିଙ୍ଗାରେ ବଢ଼ୁଛି ଚୋରଙ୍କ ଦୌରାତ୍ମ୍ୟ : ୫ ଦିନ ପରେ ବି ମିଳୁନି ଚୋରି ହୋଇଥିବା ବୋଲେରୋ ପିକଅପ୍

csstore

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢ଼ୁଥିବା ଦେଖିବାକୁ ମିଳିଛି । କିଛିଦିନ ତଳେ କାଣ୍ଡେଲ ଅଞ୍ଚଳରୁ ବହୁମୂଲ୍ୟ ବିଦ୍ୟୁତ କେବୁଲ ଚୋରି ହୋଇଥିବା ବେଳେ, ଏବେ ସହରର ମଧ୍ୟଭାଗରୁ ଏକ ବୋଲେରୋ ପିକଅପ୍ ଗାଡ଼ି ଚୋରି ହେବା ଘଟଣା ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି କରିଛି । ସୂଚନା ଅନୁସାରେ, କେସିଙ୍ଗା ଏନ୍‌ଏସିର ୧୧ ନମ୍ବର ୱାର୍ଡର ବାସିନ୍ଦା ଅଶ୍ୱିନୀ ଗୌଡଙ୍କ ଓଡି୦୬ସି-୬୧୧୬ ନମ୍ବର ବିଶିଷ୍ଟ ବୋଲେରୋ ପିକଅପ୍ ଗତ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଛି । ଗାଡ଼ିଟି ଜାତୀୟ ରାଜପଥ ପାର୍ଶ୍ୱରେ ପାର୍କିଂ କରାଯାଇଥିଲା । ନିକଟସ୍ଥ ଏକ ସିସିଟିଭି କ୍ୟାମେରାରେ ରାତି ପ୍ରାୟ ୧୨ଟା ୫୦ ମିନିଟ୍ ସମୟର ଦୃଶ୍ୟ ରେକର୍ଡ ହୋଇଛି । ଫୁଟେଜ୍‌ରେ ଏକ ସନ୍ଦିଗ୍ଧ ବୋଲେରୋ ଗାଡ଼ି ଆସି ରୋକିବା ପରେ ସେଥିରୁ ଦୁଇଜଣ ଯୁବକ ଓହ୍ଲାଇ ଅତ୍ୟନ୍ତ ଚତୁରତାର ସହ ପିକଅପ୍ ଗାଡ଼ିର ଲକ୍ ଭାଙ୍ଗିଥିବା ଦେଖାଯାଇଛି । ପରେ ସେମାନେ ଗାଡ଼ିଟିକୁ ନେଇ ଭବାନୀପାଟଣା ଦିଗକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣା ପରେ ଗାଡ଼ି ମାଲିକ ଅଶ୍ୱିନୀ ଗୌଡ କେସିଙ୍ଗା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଚୋରମାନଙ୍କ ସନ୍ଧାନ ପାଇଁ ପୋଲିସ କେସିଙ୍ଗାରୁ ଭବାନୀପାଟଣା ରାସ୍ତାରେ ଥିବା ବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପ ଓ ଗୁରୁତ୍ୱପୂର୍ଣ୍ଣ ଛକଗୁଡ଼ିକର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ତେବେ ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ଚୋରି ହୋଇଥିବା ଗାଡ଼ି କିମ୍ବା ଚୋରମାନଙ୍କର କୌଣସି ସୁରାକ ମିଳିପାରିନାହିଁ । ଏହି ଗାଡ଼ି ଅଶ୍ୱିନୀ ଗୌଡଙ୍କ ପରିବାରର ଏକମାତ୍ର ଜୀବିକାର ମାଧ୍ୟମ ଥିଲା । ସେ ନିଜେ ଗାଡ଼ି ଚଲାଇ ପରିବାର ପୋଷଣ କରିବା ସହ ଗାଡ଼ିର କିସ୍ତି ମଧ୍ୟ ପରିଶୋଧ କରୁଥିଲେ । ଗାଡ଼ି ଚୋରି ହୋଇଯିବା ପରେ ତାଙ୍କ ଉପରେ ଆର୍ଥିକ ଚାପ ବଢ଼ିଯାଇଥିବା ବେଳେ ସେ ଗଭୀର ଚିନ୍ତାରେ ପଡ଼ିଛନ୍ତି । ଅନ୍ୟପଟେ, ଯଥାଶୀଘ୍ର ଗାଡ଼ିଟିକୁ ଉଦ୍ଧାର କରିବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି ଗାଡ଼ି ମାଲିକ । କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.