
ବଲାଙ୍ଗିର, (କେପିଏନ୍ଏସ୍) : ପୁଣି ବଲାଙ୍ଗିର ଜିଲ୍ଲାରେ ବଡ଼ ଧରଣର ଗଞ୍ଜେଇ ଚାଲାଣ ଠାବ କରିଛି ଅବକାରୀ ବିଭାଗ । କପଡ଼ା ବ୍ୟବସାୟ ଆଳରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ତୁଷୁରା ଅବକାରୀ ଟିମ୍ ତୁଷୁରା–ଦେଓଗାଁ ରାସ୍ତାରେ ଚଢ଼ାଉ କରିଥିଲା । ଯାଞ୍ଚ ବେଳେ କପଡ଼ା ଗଣ୍ଠିଲି ଭିତରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଏହି ଘଟଣାରେ ତୁଷୁରାରୁ ୪ ଜଣ ଓ ଟିଟିଲାଗଡ଼ରୁ ୪ ଜଣଙ୍କୁ ଗିରଫ କରାଯାଇଛି । କପଡ଼ା ବ୍ୟବସାୟ ନାଁରେ ସଂଗଠିତ ଭାବେ ଗଞ୍ଜେଇ କାରବାର ଚାଲୁଥିଲା କି ନାହିଁ, ସେନେଇ ତଦନ୍ତ ଜାରି ରହିଛି । ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହାର ଖୋଳତାଡ଼ କରାଯାଉଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

