
- ଆୟୁବ ଖାଁଙ୍କ ଜାଗାରେ ଡାକ୍ତର ଅମଜଦ ଖାଁ ସଜାଡ଼ିବେ ବିଜେଡି ସଂଗଠନ
- ପଞ୍ଚାୟତ ନିର୍ବାଚନ ଓ ସଂଗଠନ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବିଜୁ ଜନତା ଦଳ (ବିଜେଡି) କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପକ୍ଷରୁ ପୁଞ୍ଜିପଥର ଠାରେ ଛାମୁଆ ସାଙ୍ଗଠନିକ କର୍ମୀ ଏବଂ ବିଏଲ୍ଏ ସଂଯୋଜକମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ବିଜେଡି ନେତା ଡା. ଅମଜଦ ଖାଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା, ବିଏଲ୍ଏମାନଙ୍କ ଭୂମିକା ଓ ଏସ୍ଆଇଆର୍ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହା ସହ ପୂର୍ବତନ ବିଧାୟକ ସ୍ୱର୍ଗତ ଆୟୁବ ଖାଁଙ୍କ ପରଲୋକ ପରେ ତାଙ୍କ ପୁତ୍ର ଡା. ଅମଜଦ ଖାଁଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ଅଧିକ ମଜବୁତ କରିବା ଏବଂ ଦଳୀୟ କାର୍ଯ୍ୟକଳାପକୁ ଗ୍ରାମ ସ୍ତରରେ ସକ୍ରିୟ କରିବା ନେଇ କର୍ମୀମାନେ ମତବିନିମୟ କରିଥିଲେ । ବୈଠକରେ ଉପସ୍ଥିତ ଦଳୀୟ କର୍ମୀ ଓ ସଂଯୋଜକମାନେ ଆଗାମୀ ଦିନରେ ସମନ୍ୱିତ ଭାବେ କାର୍ଯ୍ୟ କରି କଣ୍ଟାବାଞ୍ଜି ଅଞ୍ଚଳରେ ବିଜେଡିର ସାଙ୍ଗଠନିକ ଭିତ୍ତିକୁ ଆହୁରି ସୁଦୃଢ଼ କରିବାକୁ ସଂକଳ୍ପ ବ୍ୟକ୍ତ କରିଥିଲେ ।

