
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଛତୁଆନକା ପଞ୍ଚାୟତର କୁର୍ଲି ଗ୍ରାମରେ ଥିବା ଏକ ଅଙ୍ଗନୱାଡି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି । କେନ୍ଦ୍ରର ଛାତର ଏକ ଅଂଶ ହଠାତ୍ ଖସିପଡ଼ିବାରୁ ସେଠାରେ ଉପସ୍ଥିତ ୩ ଜଣ ଶିଶୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ସ୍ଥାନୀୟ ଲୋକେ ଓ ଅଙ୍ଗନୱାଡି କର୍ମୀମାନେ ତୁରନ୍ତ ଆହତ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଶିଶୁମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି । ଏହି ଘଟଣା ପରେ ଅଙ୍ଗନୱାଡି କେନ୍ଦ୍ରର ଭଗ୍ନଦଶାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି । ବହୁ ଦିନ ଧରି ଅଙ୍ଗନୱାଡି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ସତ୍ତ୍ୱେ ମରାମତି କିମ୍ବା ନୂତନ ଭବନ ନିର୍ମାଣ ପ୍ରତି ପ୍ରଶାସନ ଦୃଷ୍ଟି ଦେଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ସହ ଅଙ୍ଗନୱାଡି କେନ୍ଦ୍ରର ଶୀଘ୍ର ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

