
- “ଗଛ ଲଗାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ର”
ବଲାଙ୍ଗିର, (କେପିଏନ୍ଏସ୍) : ପିଏମ୍ଶ୍ରୀ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରେଞ୍ଜ ଅଫିସର ସୁନୀଲ ମିଶ୍ର, ସମ୍ମାନିତ ଅତିଥି ଭାବେ ଫରେଷ୍ଟର ଆନନ୍ଦ ସ୍ୱାଇଁ, ଫରେଷ୍ଟ ଗାର୍ଡ ସଂଜୀବ କୁମାର ନାୟକ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପରିବେଶର ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ଗଠନରେ ପ୍ରତ୍ୟେକଙ୍କ ସକ୍ରୀୟ ଭୂମିକା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ନିଜ ବକ୍ତବ୍ୟରେ ଛାତ୍ରମାନଙ୍କୁ ଗଛ ଲଗାଇବା ସହ ତାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ । କେବଳ ବୃକ୍ଷ ରୋପଣ ନୁହେଁ, ବରଂ ଗଛକୁ ବଞ୍ଚାଇ ରଖିବା ହିଁ ପ୍ରକୃତ ବନ ମହୋତ୍ସବର ଉଦ୍ଦେଶ୍ୟ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପଲ୍ଲବୀ ଇକୋ କ୍ଲବ ଇନଚାର୍ଜ ଝୁମି ସାହୁ, ଜୁନିଅର ରେଡକ୍ରସ କାଉନସେଲର କିରଣ ବେହେରା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରମାଇ ରଞ୍ଜନ ସା, ଭାରତ ସ୍କାଉଟର ସ୍କାଉଟ ମାଷ୍ଟର ସୌରଭ ପଧାନଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ର ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟ ପରିସର ଓ ବିଦ୍ୟାଳୟର ଖେଳ ପଡିଆରେ ନିମ୍ବ, କରଞ୍ଜ, ଜାମୁ, ବର, ପିପ୍ପଳ, ଅଁଳା, ଶାଗୁଆନ ଚାରା ସହ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା । ବୃକ୍ଷ ରୋପଣ ପୂର୍ବରୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଙ୍କ ଦ୍ୱାରା ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣର ବାର୍ତ୍ତା ନେଇ ଏକ ସଚେତନତା ରେଲି ସହର ପରିକ୍ରମା କରିଥିଲା । ରାଲିରେ ‘ଗଛ ଲଗାଅ, ଭବିଷ୍ୟତ ବଞ୍ଚାଅ’ ,’ସବୁଜ ପୃଥିବୀ, ସୁନ୍ଦର ଭବିଷ୍ୟତ’, ‘ଗଛ ଲଗାଅ, ପରିବେଶ ବଞ୍ଚାଅ’ ଭଳି ସ୍ଲୋଗାନ ଦେଇ ବରିଷ୍ଠ ଶିକ୍ଷକ ବିକାଶ ରଞ୍ଜନ ସାହୁ, ଅମିତ ବାଗ, ଆଶିଷ ମିଶ୍ର, ପ୍ରଶାନ୍ତ ସାହୁ, ଆଶୁତୋଷ ହୋତା, ପ୍ରହ୍ଲାଦ ବଗର୍ତି, ଶିକ୍ଷୟିତ୍ରୀ ସଂଗୀତାଞ୍ଜଳୀ ମିଶ୍ର, ଡାଳିମ୍ବ ବାଗ, ନିହାରିକା ବଢିଆ, ବର୍ଷା ସାହୁ, ମିଳିମୟୀ ପଧାନ, ଝରଣା ପାତ୍ର, ରଶ୍ମିଲତା ପାତ୍ର, ଗୀତାଞ୍ଜଳି ବାରିକ, ଶକୁନ୍ତଳା ମାଝୀ, ଲିପି ଲିପ୍ସିତା ମିଶ୍ର, ସ୍ନିଗ୍ଧା ସୌମ୍ୟାଶ୍ରୀ ମିଶ୍ର, ପ୍ରୀତି ଶିଖା ଭୋଇ ପ୍ରମୁଖ ଲୋକଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରିଥିଲେ । ବିଦ୍ୟାଳୟର ଶିକ୍ଷା କର୍ମଚାରୀ ଅନନ୍ତ ଥପା, ଶିବାଜୀ ମେହେର, ସଙ୍ଗମ ଶତପଥି ସହଯୋଗ କରିଥିଲେ ।
