
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ହୁମ୍ମା ରେଳଷ୍ଟେସନର ଅବ୍ୟବସ୍ଥା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ବିଜେଡି ନେତା ଭୃଗୁ ବକ୍ସିପାତ୍ର ରେଳ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ’ ଗତକାଲି ହୁମ୍ମା ରେଳ ଷ୍ଟେସନ ଗ୍ରସ୍ତ ସମୟରେ, ବରିଷ୍ଠ ବିଜେଡି ନେତା ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୁମ୍ମା ଅଞ୍ଚଳର ଯାତ୍ରୀଙ୍କ ନିମନ୍ତେ ବହୁବିଧ ଉନ୍ନତି, ସୁବିଧା ରେଳ ଲାଇନ ସଂଯୋଗ ସମସ୍ୟା ସମ୍ପର୍କରେ ସମୀକ୍ଷା କରିବା ପାଇଁ ରେଳ ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ । ରେଳ ଯାତ୍ରୀମାନଙ୍କ ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ କରିବା ସହିତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଟବଙ୍କୁ ପତ୍ରଲେଖି ଜଣାଇଛନ୍ତି । ହୁମ୍ମା ରେଳ ଷ୍ଟେସନ ଠାରେ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଏବଂ ଗୁଣୁପୁର-କଟକ ଫାଷ୍ଟ ପାସେଞ୍ଜରର ରହଣି ପାଇଁ ଏଠାକାର ଜନସାଧାରଣଙ୍କ ବହୁ ଦିନର ଦାବୀ ରହିଛି । ଏହି ଦାବୀ ପୂରଣ କରିବା ଦିଗରେ ରେଳ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । ମୁଖ୍ୟତଃ ଏହି ଦୁଇ ଟ୍ରେନ୍ ରହଣୀ ହେଲେ ଏହି ଅଞ୍ଚଳର ଗରିବ ଶ୍ରେଣୀର ଲୋକେ, ଛୋଟକାଟିଆ ବ୍ୟବସାୟୀ, ଚାଷୀ ମୂଲିଆ, ରାଜମିସ୍ତ୍ରୀ, ହୁମ୍ମା ଶୁଖୁଆ ହାଟକୁ ଆସୁଥିବା ବେପାରୀମାନେ ଏବଂ ସାଧାରଣ ବର୍ଗର ଲୋକେ ବହୁ ଉପକୃତ ହେବେ । ଏପରିକି ଦୈନନ୍ଦିନ ଯାତ୍ରୀମାନେ ଦେହ ଅସୁସ୍ଥ ଥିଲେ ଆଶୁ ଆରୋଗ୍ୟ ପାଇଁ ଚିକିତ୍ସା ନିମନ୍ତେ କଟକ ଓ ଭୁବନେଶ୍ୱର ହସ୍ପିଟାଲକୁ ଯିବାରେ ଏବଂ ଏଠାକାର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ରାଜଧାନୀ ଭୁବନେଶ୍ୱର ଯିବାରେ ବହୁ ଉପକୃତ ହୋଇଥାନ୍ତେ । ସର୍ବୋପରି ହୁମ୍ମା ରେଳ ଷ୍ଟେସନ ଠାରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ସୁବିଧା, ଶୌଚାଳୟ, ରେଳ ଲାଇନ ପ୍ଲାଟଫର୍ମର ସମ୍ପ୍ରସାରଣ, ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷାରତ ଥିବା ବେଳେ ବିଶ୍ରାମ କକ୍ଷର ସୁବିଧା ନଥିବା ହେତୁ ଲୋକେ ଖରାଦିନେ ପ୍ରଚଣ୍ଡ ଗରମରେ, ବର୍ଷା ଦିନେ ପ୍ରବଳ ବର୍ଷାରେ ଭିଜିଯାଆନ୍ତି । ଏପରିକି ଶୀତଦିନେ ଥଣ୍ଡା କାକରରେ ଯାତ୍ରୀମାନେ ନାନା ହନ୍ତସନ୍ତ ହେଉଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଏଠାକାର ଜନସାଧାରଣଙ୍କ ତରଫରୁ କ୍ଷୋଭ ପ୍ରକାଶ ପାଇଛି । ଏହି ସମସ୍ତ ଦାବୀ ପୂରଣ ନ ହେଲେ ଆଗମୀ ଦିନରେ ଜନଆନ୍ଦୋଳନ ହେବ ବୋଲି ହୁମ୍ମା ଅଞ୍ଚଳର ଲୋକେ ରେଳବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି ।
