
- ଧାନ କିଣା ସମସ୍ୟା ଦୂର ନହେଲେ ଆନ୍ଦୋଳନ ହେବ – ନରସିଂହ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ କୁତୁର୍ଲା ପ୍ରାଥମିକ ସମବାୟ ସମିତିରେ ଚାଲିଥିବା ଧାନ ମଣ୍ଡିକୁ ଶୁକ୍ରବାର ଦିନ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ପରିଦର୍ଶନ ପାଇଁ ଯାଇଥିଲେ । ସେଠାରେ ଚାଷୀମାନଙ୍କ ଅଭିଯୋଗ ଧାନ ଉଠିବାର ଧାର୍ଯ୍ୟ ହୋଇଥିବା ତାରିଖର ଶେଷ ଦିନରେ ମଧ୍ୟ ଅନେକ ଚାଷୀଙ୍କ ଧାନ ମିଲକୁ ଯାଇପାରୁନାହିଁ ଏପରି କି ସେଠାରେ ପଞ୍ଜିକୃତ ୧୮ଜଣ ଚାଷୀଙ୍କ ସେଟେଲାଇଟ ସର୍ଭେରେ ତଥ୍ୟ ଠିକ୍ ମିଳୁନଥିବାରୁ ପରବର୍ତ୍ତି ସମୟରେ ସେସବୁକୁ ଅଧିକାରୀମାନଙ୍କ ଦ୍ୱାରା ପ୍ରତ୍ୟେକ୍ଷ ସର୍ଭେର ଠିକ୍ ତଥ୍ୟ ପଠାଯାଇଥିଲେ ହେଁ ସେମାନଙ୍କ ଟୋକନ ଆସିପାରୁନାହିଁ । ଶହ ଶହ ବସ୍ତା ଧାନ ମଣ୍ଡିକୁ ଆସି ଟ୍ରାନ୍ସଫୋଟେସନ ଅଭାବରୁ ପଡିରହୁଛି । ଏପରି ସ୍ଥଳେ ଚାଷୀ ଅନେକ କ୍ଷୟକ୍ଷତି ସହୁଛି । ବିଭାଗ ତରଫରୁ ଚାଷୀଙ୍କୁ ତାଙ୍କ ନିଜ ଗାଡିରେ ଧାନ ମିଲକୁ ନେବା ପାଇଁ ବାଧ୍ୟ କରାଯାଉଛି । ପରେ ପୁଣି ସେହି ଗାଡି ଦୁଇ ତିନ ଦିନ ପରେ ମିଲରେ ଅନଲୋଡ ହେବା ଦ୍ୱାରା ଗାଡିମାଲିକମାନେ ଚାଷୀଙ୍କ ଉପରେ ଗାଡିର ଅଧିକ ଭଡା ଦାବି କରୁଛନ୍ତି । ଦେଖିବାକୁ ଗଲେ କଟନି ଛଟନି ବାହାରେ ମଧ୍ୟ ଟ୍ରାନ୍ସପୋଟେସନ ଖର୍ଚ୍ଚର ଏକ ବଡ ଘୋଟାଲା ତଳରୁ ଉପର ପର୍ଯ୍ୟନ୍ତ ଚାଲିଛି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ । ଧାନବିକା ଚାପରେ ରହି ଚାଷୀମାନେ କହିଥିଲେ ଯେ, ଟ୍ରାନ୍ସଫୋଟେସନ ଖର୍ଚ୍ଚ ନିଜେ ବହନ କରୁଥିବା ବେଳେ ସରକାରଙ୍କ ଠାରୁ ମିଲ ମାଲିକମାନେ ପରିବହନ ଖର୍ଚ୍ଚ ନିଜେ ଆତ୍ମସାତ କରି ନେଉଛନ୍ତି । ତେଣୁ ଏ ସବୁ ସମାଧାନ ପାଇଁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ଜିଲ୍ଲାପାଳଙ୍କୁ ଫୋନ ଯୋଗେ ଜଣାଇଥିଲେ । ଜିଲ୍ଲାପାଳ ଯେତେ ଶୀଘ୍ର ହେବ କୁତୁର୍ଲା ମଣ୍ଡିକୁ ଗାଡିର ବ୍ୟବସ୍ଥା କରାଉଛନ୍ତି ବୋଲି ପ୍ରତିଶୃତି ଦେଇଛନ୍ତି । ତଥାପି ମଧ୍ୟ ଚାଷୀମାନେ ଧାନକିଣା ବ୍ୟବସ୍ଥାକୁ ନେଇ ସମ୍ପୂର୍ଣ୍ଣଭାବେ ଅସନ୍ତୋଷ ଥିବା ଜଣାଯାଇଥିଲା । କାରଣ ଧାନ ଉଠିବାର ଆଜି ହେଉଛି ଶେଷ ଦିନ ଏବଂ ଆଜି ବି ପେକ୍ସ କର୍ତ୍ତୃପକ୍ଷ ଧାନ କେମିତି ଉଠିବ ସଠିକ୍ କିଛି କହିପାରୁନାହାନ୍ତି । ଯଦି ଏପରି ଧାନକିଣା ଅବ୍ୟବସ୍ଥା ଯୋଗୁଁ ଚାଷୀ ଅସନ୍ତୋଷ ଜାରି ରହିବ ଏବଂ ଧାନର ଅଭାବି ବିକ୍ରି ଯୋଗୁଁ ଚାଷୀ ଆର୍ଥିକ କ୍ଷତି ସହିବ ତେବେ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନର ରାସ୍ତା ଅପଣାଇବେ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ଶ୍ରୀ ମିଶ୍ର ଏହା ବି କହିଛନ୍ତି ଯେ, ଧାନକିଣା ଅବ୍ୟବସ୍ଥାକୁ ନେଇ ଗତ ତିନଦିନ ହେଲା ସେ ନିଜେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଫୋନ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଚାଷୀ ଧାନ ବିକିବା ପାଇଁ ହନ୍ତସନ୍ତ ହେଉଥିବା ବେଳେ ଯୋଗାଣ ଅଧିକାରୀଙ୍କ ଫୋନ ସୁଇଚଅଫ୍ ରହୁଛି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଛନ୍ତି । ଆଜିର ଏହି ପରିଦର୍ଶନ ସମୟରେ ପେକ୍ସ ସେକ୍ରେଟେରୀ ଜିତେନ ନାଗ, ସଭାପତି ନିଳାମ୍ବର ପାଣିଗ୍ରାହୀ, ଚାଷୀ କୃଷ୍ଣ ସେଠ, ଇସମାଇଲ ସୁନା, ଉଦୟନାଥ ପାଣିଗ୍ରାହୀ, ବାଙ୍କ ପ୍ରଧାନ, ଗୌରାଙ୍ଗ ପୋଡ, ଅଶୋକ ସେଲମା, ଚକା ପଧାନ, ଦାମୋଦର ପ୍ରଧାନ, ସୁମିତ୍ରା ଜାଲ, କଂଗ୍ରେସ ନେତା ରାମଜୀ ଚୌଧୁରୀ, ସଂକୀର୍ତ୍ତନ ବାଗ, କାନ୍ତେଶ୍ୱର ପ୍ରଧାନ, ପପୁ ପାତ୍ର, ଅସିତ ମିଶ୍ର, ଭିକାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
