
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଖୁଜେନ ଗ୍ରାମରେ ଶିଶୁଟିଏ ଗଛଟିଏ ସାରା ଜୀବନର ସାଥୀ ସିଏ” ଆହ୍ୱାନ ଦେଇ ଏକ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡା. ମାନଭଞ୍ଜନ ପଣ୍ଡା, ପ୍ରକୃତିବନ୍ଧୁ କେଦାରନାଥ ସାହୁ, ଶିକ୍ଷକ ସହଦେବ ପ୍ରଧାନ ନିଜ ବକ୍ତବ୍ୟରେ ଉପସ୍ଥିତ ମହିଳାମାନଙ୍କୁ ବୃକ୍ଷରୋପଣ ଓ ସଂରକ୍ଷଣ କରି ଧରିତ୍ରୀ ମା’କୁ ସୁରକ୍ଷିତ ରଖିବାକୁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ଶିଶୁଙ୍କ ସହ ଉପସ୍ଥିତ ଥିବା ପଇଁତିରିଶ ଜଣ ମହିଳାଙ୍କୁ ଅଶୋକ ଚାରା ପ୍ରଦାନ କରାଯାଇଥିଲା । ପ୍ରଦାନ କରାଯାଇଥିବା ଚାରାକୁ ମହିଳାମାନେ ପରିବାରବର୍ଗଙ୍କ ସହିତ ନିଜ ନିଜ ଘରବାଡି ତଥା ଜମିରେ ରୋପଣ କରିବା ସହ ନିଜ ଶିଶୁ ତଥା ଆଗାମୀ ପିଢ଼ିର ସୁରକ୍ଷା ପାଇଁ କାମ କରିବାକୁ ଶପଥ ନେଇଥିଲେ । ଶେଷରେ ବରିହାପାଲି ପଞ୍ଚାୟତ ମହିଳା କର୍ମୀ ସୁଦେଷ୍ଣା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଉତ୍କଲେଶ୍ୱର ନାୟକ ଓ ଗଣେଶ ସାହୁ ସହଯୋଗ କରିଥିଲେ ।
