
ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ୱଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ
ଅତାବିରା, (ମୋହନ ସାହୁ) : ଓଡ଼ିଶା ମାଟିର ସାଂସ୍କୃତିକ ଓ ରାଷ୍ଟ୍ରୀୟ ଜାଗରଣ ପାଇଁ “ଭାରତ ମାତା ସେବାନ୍ୟାସ” ତରଫରୁ ଆସନ୍ତା ୨୯ ଜୁନ୍ ସୋମବାର ଦିନ “ଭୂମି ପୂଜନ ଉତ୍ସବ” ରଖାଯାଇଛି । ସେହି ସଂକଳ୍ପର ପ୍ରଥମ ଚରଣ ସ୍ଵରୂପ ଆଜି ନ୍ୟାସର ସଂସ୍ଥାପକ, ମୁଖ୍ୟ ନ୍ୟାସୀ ଗଣ, ଉପଦେଷ୍ଟା ଗଣ ଓ ସଭ୍ୟମାନଙ୍କ ସମେତ ବହୁ ସାମାଜିକ ସଂଗଠନ ମାନଙ୍କର ଉପସ୍ଥିତିରେ ପବିତ୍ର “ଦେବ ନିମନ୍ତ୍ରଣ” କାର୍ଯ୍ୟକ୍ରମ ଅତ୍ୟନ୍ତ ସସମ୍ମାନ ସମ୍ପନ୍ନ ହୋଇଛି । ପ୍ରଥମେ ଅତାବିରା ଗଣେଶ ମନ୍ଦିର, ହନୁମାନ ମନ୍ଦିର, ଦୁର୍ଗା ମନ୍ଦିର, ମା’ ସମଲେଶ୍ଵରୀ ମନ୍ଦିର, ଜଗନ୍ନାଥ ମନ୍ଦିର ଏବଂ ମା’ ରାମଚଣ୍ଡୀ ମନ୍ଦିରରେ ହଳଦିଆ ଚାଉଳ, ଗୁଆ ଓ ନିମନ୍ତ୍ରଣ ପତ୍ର ଅର୍ପଣ କରାଗଲା । ଏହା ପରେ ନ୍ୟାସ ତରଫରୁ ଅତାବିରାର ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ନିବାସ ସ୍ଥାନକୁ ଯାଇ ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ସୋମବାର ସକାଳେ ହେବାକୁ ଥିବା ଏହି ମହାଯଜ୍ଞରେ ଆଖପାଖ ସମସ୍ତ ଅଞ୍ଚଳର ପ୍ରତିନିଧି, ଦେଶଭକ୍ତ ସଂଗଠନ ଏବଂ ପ୍ରମୁଖ ସମାଜସେବୀ ମାନେ ଯୋଗଦେଇ ୧୦୮ ନାରିକେଳ ବଳି ପ୍ରଦାନ ପୂର୍ବକ ଭୂମି ପୂଜନ କରିବେ । ସମସ୍ତ ଭେଦଭାବରୁ ଅଧିକକୁ ଯାଇ ଏହି ରାଷ୍ଟ୍ର-କାର୍ଯ୍ୟରେ ସାମିଲ ହେବା ପାଇଁ ସେବାନ୍ୟାସ ତରଫରୁ ସମସ୍ତ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି ।
