
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ‘ସମ୍ବିଧାନ ହତ୍ୟା ଦିବସ’ ଭାରତୀୟ ଗଣତନ୍ତ୍ରର ସେହି କଳା ଅଧ୍ୟାୟକୁ ସ୍ମରଣ କରାଏ । ଯେତେବେଳେ ୨୫ ଜୁନ ୧୯୭୫ରେ ଦେଶରେ ଜରୁରୀକାଳ ଲାଗୁ କରାଯାଇ ନାଗରିକ ସ୍ୱାଧୀନତା, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ସାମ୍ବିଧାନିକ ଅଧିକାର ଉପରେ ବ୍ୟାପକ ପ୍ରତିବନ୍ଧକ ଲଗାଯାଇଥିଲା । ପ୍ରେସ୍ ଉପରେ ସେନ୍ସରଶିପ୍, ରାଜନୈତିକ ବିରୋଧୀଙ୍କ ଗିରଫ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଉପରେ ନିୟନ୍ତ୍ରଣ ସମ୍ବିଧାନର ମୂଳ ଭାବନାକୁ ଗଭୀର ଆଘାତ ପହଞ୍ଚାଇଥିଲା । ଏହି ଦିବସ ସେହି ଗଣତନ୍ତ୍ର ସେନାନୀମାନଙ୍କର ସାହସ ଓ ସଂଘର୍ଷକୁ ସ୍ମରଣ କରିବାର ଏକ ସୁଯୋଗ । ଯେଉଁମାନେ ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନାଗରିକ ଅଧିକାରର ସୁରକ୍ଷା ପାଇଁ ନିଜ ସ୍ୱରକୁ ଉଚ୍ଚ କରିଥିଲେ । ସେମାନଙ୍କର ତ୍ୟାଗ ଆମକୁ ସମ୍ବିଧାନର ଗରିମା, ସ୍ୱାଧୀନତା ଏବଂ ଗଣତନ୍ତ୍ରର ସୁରକ୍ଷା ପ୍ରତି ସଦା ସଜାଗ ଓ ପ୍ରତିବଦ୍ଧ ରହିବାକୁ ପ୍ରେରଣା ଦିଏ ।
ଆଜି ‘ସମ୍ବିଧାନ ହତ୍ୟା ଦିବସ’ ଅବସରରେ ସମସ୍ତ ଗଣତନ୍ତ୍ର ରକ୍ଷକମାନଙ୍କୁ ଶ୍ରଦ୍ଧାପୂର୍ବକ ନମନ । ଏହି ଅବସରରେ ଟିଟିଲାଗଡ ବିଜେପି କାର୍ଯ୍ୟାଳୟରେ ଏହାକୁ କଳା ଦିବସ ରୂପେ ପାଳନ କରାଯାଇଛି । ଏହି ଅବସରରେ ଟିଟିଲାଗଡ ବିଧାୟକ ନବୀନ ଜୈନ, ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ରହି ଗଣତନ୍ତ୍ରର ସୁରକ୍ଷା, ସମ୍ବିଧାନିକ ମୂଲ୍ୟବୋଧ ଓ ଜନସ୍ୱାର୍ଥ ପ୍ରତି ନିଜର ଅତୁଟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଦେଶର ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିବା ଓ ଜନସାଧାରଣଙ୍କ ଅଧିକାର ସୁରକ୍ଷା ପାଇଁ ଆମର ସଂକଳ୍ପ ଆହୁରି ଦୃଢ଼ ହୋଇଛି ବୋଲି ନିଜ ଉଦ୍ବୋଧନରେ କହିଥିଲେ ।
