csstore

ଫଟାବାହାଲ ସ୍କୁଲପଡାରେ ବିଜୁଳି ସମସ୍ୟା

  • ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ
  • ସମସ୍ୟାର ଶୀଘ୍ର ହେବ ସମାଧାନ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁଳି ସୁବିଧା ପାଇବା ଲୋକଙ୍କ ମୌଳିକ ଅଧିକାର କିନ୍ତୁ ବର୍ତ୍ତମାନ ଦେଖା ଦେଉଛି ସହର ହେଉ କି ଗାଁ ହେଉ କୌଣସି ଜାଗାରେ ବିନା ସମସ୍ୟାରେ ବିଜୁଳି ଯୋଗାଣ ହୋଇପାରୁନାହିଁ । ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସମେଲ ପଂଚାୟତର ଫଟାବାହାଲ ଗାଁର ସ୍କୁଲପଡା ବାସୀନ୍ଦାମାନେ ବିଜୁଳି ସମସ୍ୟା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଫଟାବାହାଲ ସ୍କୁଲପଡା ଯାହାକି ମୁଖ୍ୟ ରାସ୍ତାରୁ ୧୦୦ ରୁ ୨୦୦ ମିଟର ଭିତରେ ଅବସ୍ଥିତ ସେହି ପଡାରେ ବିଜୁଳି ଅଛି କିନ୍ତୁ ବିଜୁଳି ତାର କଂକ୍ରିଟ ପୋଲ ଦେଇ ସଂଯୋଗ ହୋଇ ନ ଥିବାରୁ ଟିକିଏ ପବନ ହେଲେ କି ବର୍ଷା ହେଲେ ବିଜୁଳି ସରବରାହ ବନ୍ଦ ହୋଇଯାଉଛି । ଗତକାଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସେହି ରାସ୍ତା ଦେଇ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଉଥିବା ବେଳେ ସ୍କୁଲପଡାର ମହିଳାମାନେ ଯୋଜନାବଦ୍ଧ ଭାବେ ନରସିଂହ ମିଶ୍ରଙ୍କ ଗାଡିକୁ ଅଟକାଇଥିଲେ । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେମାନେ ଭୋଗୁଥିବା ବିଜୁଳି ସମସ୍ୟା ଉପରେ ଅଭିଯୋଗ କରିବା । ମହିଳାମାନେ କହିଥିଲେ ଯେ, ବିଜୁଳି ତାର ସିମେଣ୍ଟ ପୋଲରେ ଯାଇ ନଥିବାରୁ ସେମାନେ ବାଧ୍ୟ ହୋଇ ବାଉଁଶ ସାହାଯ୍ୟରେ ରାସ୍ତା ପାର କରି ନିଜ ନିଜ ଘରକୁ ସେହି ବାଉଁଶ ଦେଇ ବିଜୁଳି ନେଇଛନ୍ତି । ଟିକିଏ ବର୍ଷା କି ପବନ ହେଲେ କିମ୍ବା କୌଣସି ଗାଡି ମଟର ରାସ୍ତାରେ ଗଲେ ସେହି ତାରରେ ବାଜି ବିଦ୍ୟୁତ ତାର ଛିଣ୍ଡି ଯାଉଛି । ବିଭାଗକୁ ଯେତେ ଅଭିଯୋଗ କଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବାରୁ ଦିନ ଦିନ ଧରି ସେହି ଅଂଚଳରେ ବିଜୁଳି ରହୁନାହିଁ । ଫଳରେ ଲୋକେ ଘୋର ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ବୋଲି ମହିଳାମାନେ ଶ୍ରୀ ମିଶ୍ରଙ୍କୁ ଅଭିଯୋଗ କରିଥିଲେ । ଏହାକୁ ନେଇ ତୁରନ୍ତ ଶ୍ରୀ ମିଶ୍ର ବିଜୁଳି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀଯନ୍ତ୍ରୀଙ୍କ ସହ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ଯେହେତୁ ବିଜୁଳି ସମସ୍ୟାରେ ଥିବା ସ୍କୁଲପଡାରେ ଅନେକ ପରିବାର ଗରିବ ସୀମାରେଖା ତଳେ ଅଛନ୍ତି ଏବଂ ଅନେକ ପରିବାର ବିଭିନ୍ନ ସରକାରୀ ଯୋଜନାର ଲାଭାର୍ଥି ଅଛନ୍ତି । ତେଣୁ ଯେତେ ଶୀଘ୍ର ହେବ ସେହି ଜାଗାକୁ ସିମେଣ୍ଟ ପୋଲ ମାଧ୍ୟମରେ ବିଜୁଳି ପ୍ରଦାନ କରାଯାଉ ବୋଲି ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଉଭୟ ଯନ୍ତ୍ରୀ ଯେତେ ଶୀଘ୍ର ହେବ ବାଉଁଶ ବଦଳାଇ ସେ ଜାଗାରେ ସିମେଣ୍ଟ ପୋଲ ମାଧ୍ୟମରେ ବିନା ଦେୟରେ ବିଜୁଳି ତାର ବିଛାଯାଇ ବିଜୁଳି ପ୍ରଦାନ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ବେଳେ ଫଟାବାହାଲ ଗାଁର ରିତା ବିଶ୍ୱାଳ, ମମତା ବିଶ୍ୱାଳ, ସନାତନ ବିଶ୍ୱାଳ, ସୁରଭି ବିଶ୍ୱାଳ, କୌଶଲ୍ୟା ବିଶ୍ୱାଳ, ରଏବାରି ବିଶ୍ୱାଳ, ସୁର ବେହେରା, ପ୍ରମିଳା ବଢେଇ, ଯଦୁମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.