
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଗାର୍ଡିଙ୍ଗିଆ ଶାଖା ଡାକଘରରେ ଏକ ବଡ଼ଧରଣର ଆର୍ଥିକ ହେରଫେର ଓ ସରକାରୀ ଅର୍ଥ ଆତ୍ମସାତ ମାମଲା ସାମ୍ନାକୁ ଆସିଛି । ଗ୍ରାହକଙ୍କ ସଞ୍ଚୟ ଖାତା ଟଙ୍କା ହଡ଼ପ କରିବା ସହ ଅଫିସ୍ ନଗଦ ଅର୍ଥ ନେଇ ଫେରାର ଥିବା ଅଭିଯୋଗରେ ଟିକାବାଲି ପୋଲିସ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଡାକପାଲା ଗ୍ରାମର ଗିରୀଶ ଚନ୍ଦ୍ର ଦିଗାଲ (୩୯) । ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଗିରୀଶ ଚନ୍ଦ୍ର ଦିଗାଲ ୨୦୧୪ ମସିହାରୁ ପାବୁରିଆ ସବ୍-ପୋଷ୍ଟ ଅଫିସ୍ ଅଧୀନରେ ଥିବା ଗାର୍ଡିଙ୍ଗିଆ ଶାଖା ଡାକଘରର ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟକରି ଆସୁଥିଲେ । ଗତ ଜୁନ୍ ୧୫ ତାରିଖ ଅପରାହ୍ନ ୨ ଟାରେ ସେ ହଠାତ୍ ପୋଷ୍ଟ ଅଫିସରେ ତାଲା ପକାଇ କେଉଁଆଡ଼େ ଚାଲି ଯାଇଥିଲେ । ସେହିଦିନର କ୍ଲୋଜିଂ ବାଲାନ୍ସ ବାବଦ ପ୍ରାୟ ୬୪, ୧୫୪ ଟଙ୍କା ଏବଂ କାର୍ଯ୍ୟାଳୟର ସରକାରୀ ମୋବାଇଲ୍ ଟ୍ୟାବକୁ ସେ ପାବୁରିଆ ମୁଖ୍ୟ କାର୍ଯ୍ୟାଳୟରେ ଜମା ନକରି ନିଜ ସହିତ ନେଇ ପଳାଇଥିଲେ । ଏହାପରେ ସେ ଆଉ କାର୍ଯ୍ୟାଳୟକୁ ଆସିନଥିଲେ । ସନ୍ଦେହ ହେବାରୁ ଜି.ଉଦୟଗିରି ଡାକ ସବ୍ଡିଭିଜନର ଇନ୍ସପେକ୍ଟର ବୀର କିଶୋର ନାୟକଙ୍କ ଦ୍ୱାରା ଉକ୍ତ ଡାକଘରର କାଗଜପତ୍ର ଓ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଜୁନ୍ ୧୬, ୧୭ ଏବଂ ୧୮ ତାରିଖ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅର୍ଥ ବିଭିନ୍ନ ବ୍ୟକ୍ତିଗତ ଆକାଉଣ୍ଟକୁ ବେଆଇନ ଭାବେ ଟ୍ରାନ୍ସଫର କରାଯାଇଥିବା ଜଣାପଡ଼ିଥିଲା । ଏଥି ସହିତ ସ୍ଥାନୀୟ ଗ୍ରାହକମାନଙ୍କ ପାସ୍ବୁକ୍ ଯାଞ୍ଚ କରିବା ପରେ ଏକ ସଂଗୀନ ଠକେଇର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ପୋଷ୍ଟ ମାଷ୍ଟର ଜଣକ ଦୀର୍ଘ ଦିନ ଧରି ଗ୍ରାହକଙ୍କ ସଞ୍ଚୟ ଖାତାରେ ଟଙ୍କା ଜମା ହୋଇଥିବା ନେଇ ପାସ୍ବୁକ୍ରେ ଏଣ୍ଟ୍ରି କରୁଥିଲେ ସତ, କିନ୍ତୁ ସେହି ଟଙ୍କାକୁ ଅଫିସିଆଲ୍ ଆକାଉଣ୍ଟରେ ଜମା ନକରି ନିଜେ ଆତ୍ମସାତ କରୁଥିଲେ । ଏହି ବ୍ୟାପକ ଆର୍ଥିକ ଅନିୟମିତତା ନେଇ ଡାକ ପରିଦର୍ଶକ ଶ୍ରୀ ନାୟକ ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍ ନଂ. ୧୩୬/୨୬, ଧାରା ୩୧୬ (୪) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
