
- ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ନିୟମିତ ଯୋଗାଭ୍ୟାସ କରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆହ୍ୱାନ
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଷ୍ଟାଡିୟମଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗାଭ୍ୟାସରେ ସାମିଲ ହେବା ସହିତ ସୁସ୍ଥ, ନିରୋଗ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ରଛାତ୍ରୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ । ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ “ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ” ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ, ବୟସ ବଢ଼ିବା ସହିତ ଦେଖାଦେଉଥିବା ଉଚ୍ଚ ରକ୍ତଚାପ, ମଧୁମେହ, ଚିନ୍ତା ଓ ଏକାକୀପଣ ଭଳି ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାର ସହଜ ସମାଧାନ ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ସମ୍ଭବ । ରାଜ୍ୟର ବୟୋଜ୍ୟେଷ୍ଠ ନାଗରିକମାନଙ୍କ ସୁସ୍ଥତା ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ଯୁବପିଢ଼ିଙ୍କୁ ମାନସିକ ଚାପମୁକ୍ତ ରହିବା ପାଇଁ ପ୍ରତିଦିନ ଅତିକମ୍ରେ ୨୦ରୁ ୩୦ ମିନିଟ୍ ଯୋଗାଭ୍ୟାସ କରିବାକୁ ସେ ପରାମର୍ଶ ଦେଇଥିଲେ । ମନ୍ତ୍ରୀ ଆହୁରି କହିଥିଲେ ଯେ, ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ ମଧ୍ୟରେ ସୀମିତ ନୁହେଁ ବରଂ ଏହା ମାନବ ଚେତନାର ବିକାଶ ପାଇଁ ଏକ ବିଶ୍ୱବ୍ୟାପୀ ଅମୂଲ୍ୟ ଉପହାର । ଯୋଗ ଏକ ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ ଏବଂ ନିରୋଗ ଜୀବନଯାପନର ଏକ ସମ୍ପୂର୍ଣ୍ଣ ବିଜ୍ଞାନ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଯୋଗ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରି ଭାରତର ସାଂସ୍କୃତିକ ଗୌରବକୁ ପ୍ରତିଷ୍ଠିତ କରିପାରିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପାଳ ହେମାକାନ୍ତ ସଏ, ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଠପାଲି, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ଈଶ୍ୱର ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହାସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପତଞ୍ଜଳି ଯୋଗ ଶିବିର, ସ୍ୱାମୀ ବିବେକାନନ୍ଦ ଯୋଗ ସଂଗଠନ, ଆର୍ଟ ଅଫ ଲିଭିଂ ସଂଗଠନ, କ୍ରୀଡ଼ା ଛାତ୍ରାବାସ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବୟୋଜ୍ୟେଷ୍ଠ ନାଗରିକ, ବାରିପଦା କ୍ରୀଡ଼ା ସଂସ୍ଥାର କର୍ମକର୍ତ୍ତା ଓ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀମାନେ ଯୋଗଦାନ କରିଥିଲେ । ଅବସରପ୍ରାପ୍ତ ବରିଷ୍ଠ ଆଥଲେଟିକ୍ କୋଚ୍ କୁମାର ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡଃ ଶୁଭାଶିଷ ନାୟକଙ୍କ ତତ୍ତ୍ୱାବଧାନରେ ଏହାର ଆୟୋଜନ କରାଯାଇଥିଲା । ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ବିଭାଗ ଓ ଯୋଗ ମହୋତ୍ସବ ସମିତି, ମୟୂରଭଞ୍ଜର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।