
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସମ୍ବଲପୁରୀ ସଂସ୍କୃତିର ପୁରୋଧା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୀବନୀ ଏବଂ ସମ୍ବଲପୁରୀ ସଂସ୍କୃତି ପ୍ରତି ଅବଦାନ ଉପରେ ରବିବାର ସୋନପୁର ସୁରେଶ୍ଵରୀ ମନ୍ଦିର ପରିସରରେ ସାରସ୍ୱତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ଭାଗିରଥୀ ମିଶ୍ରଙ୍କ ସଂଯୋଜନାରେ ଏବଂ ସାଂସ୍କୃତିକ ସଙ୍ଗଠକ ଶ୍ୟାମା ଓମ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁରୀ ସଂସ୍କୃତିର ବାଟ କଢୁଆଲ ଗୁରୁ ସତ୍ୟନାରାୟଣ ବହିଦାର ବହିର ଲେଖକ ଭବାନୀଶ ଭୋଇ ଗୁରୁ ସତ୍ୟନାରାୟଣ ବହିଦାରଙ୍କର ସାହିତ୍ୟ ଏବଂ ଜୀବନ ଉପରେ ଆଲୋଚନା କରିଥିଲେ । ଶ୍ରୀ ଭୋଇ କହିଥିଲେ ଯେ, ଗୁରୁ ସତ୍ୟନାରାୟଣ ହେଉଛନ୍ତି ସୋନପୁର ଏବଂ ସମ୍ବଲପୁର ଭିତରେ ସମ୍ପର୍କର ସେତୁ । ସମ୍ବଲପୁରୀ ଭାଷା ସାହିତ୍ୟର ସେ ପୁରୋଧା ହେବା ସହ ସାଂସ୍କୃତିକ ଚେତନାର ପଥ ପ୍ରଦର୍ଶକ । ଏହି ଅବସରରେ ଐତିହାସିକ ସୁଦାମ ନାଏକ ଗୁରୁ ସତ୍ୟନାରାୟଣଙ୍କ ସହ ସୋନପୁରର ସମ୍ପର୍କ ଉପରେ ଯେତିକି ଗବେଷଣା ହେବାକଥା ହୋଇପାରିନଥିବା କହିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଲେଖକ ଜିତେନ୍ଦ୍ର ପରିଡ଼ା ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ସାହିତ୍ୟ ଉପରେ ଅଧିକ ଗବେଷଣା ହେବାକଥା ବୋଲି କହିଥିଲେ । ସଂସ୍କୃତି ସଙ୍ଗଠକ ଶାଶ୍ୱତ କୁମାର ତ୍ରିପାଠୀ ଗୁରୁ ସତ୍ୟନାରାୟଣ ବହିଦାରଙ୍କର ସ୍ମୃତି ରକ୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯିବାକୁ ମତ ଦେଇଥିଲେ । ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନରେ ସମ୍ବଲପୁରୀ ଦିନ ପାଳନ କରାଯିବା ପରଠାରୁ ସମ୍ବଲପୁରୀ କପଡାର ଚାହିଦା ବୃଦ୍ଧି ପାଇଛି ଏବଂ ଏଥିପାଇଁ ବୁଣାକାରମାନେ ଅଧିକ ଉପକୃତ ହୋଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ସୋନପୁରରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କର ସ୍ମୃତି ରକ୍ଷା ପାଇଁ ଉଦ୍ୟମ କରାଯିବା ଉପରେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ଭାଗିରଥୀ ମିଶ୍ର ଏଥିପାଇଁ ସୋନପୁରର ସାହିତ୍ୟ ଏବଂ ସଂସ୍କୃତି ପ୍ରେମୀଙ୍କର ମିଳିତ ବୈଠକ ଡକାଯାଇ ଖୁବଶୀଘ୍ର ପଦକ୍ଷେପ ନେବା ଉପରେ ଜୋର ଦେଇଥିଲେ । କାର୍ଯ୍ୟକ୍ରମରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କର ନାତି ତରୁଣ ବହିଦାରଙ୍କ ସମେତ ପଶ୍ଚିମାଞ୍ଚଳ ଏକତା ମଞ୍ଚ ସଙ୍ଗଠନ ସଂଯୋଜକ ସୁବୋଧ କୁମାର ଦୋରା, ରାଜେଶ ସ୍ୱାଇଁ, ରାହୁଲ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।