jayashree

ବଲାଙ୍ଗିର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନଃରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ – ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ବଲାଙ୍ଗିର ସହରର ବେହେରାପାଲି ବନ୍ଧ, କରଙ୍ଗାକଟା ବନ୍ଧ ଏବଂ ନରସିଂ ବନ୍ଧରେ ଚାଲିଥିବା ପୁନଃରୁଦ୍ଧାର କାର୍ଯ୍ୟସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ । ଏହି ଅବସରରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସ୍ଥାନୀୟ କାଉନ୍‌ସିଲରମାନେ, ବଲାଙ୍ଗିର ପୌରପାଳିକାର ନିର୍ବାହୀ ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ । ପରିଦର୍ଶନ ସମୟରେ ଜିଲ୍ଲାପାଳ ବଲାଙ୍ଗିର ପୌରପାଳିକା ପକ୍ଷରୁ ଚାଲିଥିବା ୧୧ଟି ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଏହି ପୋଖରୀଗୁଡ଼ିକୁ ମଡେଲ ପୋଖରୀରେ ପରିଣତ କରାଯିବା ସହିତ ଚାରିପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ଏହା ଦ୍ୱାରା ବଲାଙ୍ଗିର ସହରକୁ ଏକ ଆଦର୍ଶ ନଗର ଭାବେ ଗଢ଼ି ତୋଳିବାରେ ସହାୟକ ହେବ । ଏଥିପାଇଁ ସେ ସହରବାସୀଙ୍କୁ ପୌରପାଳିକାକୁ ସମ୍ପୂର୍ଣ୍ଣ ସହଯୋଗ ଓ ସାହାଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ଜିଲ୍ଲାପାଳ ସହରର ବିଭିନ୍ନ ସ୍ଥାନରେ କରାଯାଇଥିବା ୱାଲ୍ ପେଣ୍ଟିଂ ଓ ଚିତ୍ରକଳା କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ । ପୋଖରୀଗୁଡ଼ିକରେ ପରିବେଶ ଅନୁକୂଳ ବିକାଶ ଏବଂ ପକ୍ଷୀମାନଙ୍କ ଆଗମନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଅଧିକ ସବୁଜୀକରଣ ଓ ଆକର୍ଷଣୀୟ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ପରିଶେଷରେ ଜିଲ୍ଲାପାଳ ବଲାଙ୍ଗିର ପୌରପାଳିକାର ପୌରାଧ୍ୟକ୍ଷା, ନିର୍ବାହୀ ଅଧିକାରୀ ଓ ସମ୍ପୃକ୍ତ କର୍ମଚାରୀମାନଙ୍କର ଉଦ୍ୟମ ଓ କାର୍ୟ୍ୟ ଦକ୍ଷତାର ଓ ସାଧାରଣ ଜନତାଙ୍କ ଭାଗିଦାରୀତାକୁ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.