jayashree

ଶୀତଳଷଷ୍ଠୀରେ ଦହିପଣା ବଣ୍ଟନ କରି ପ୍ରଶଂସା ସାଉଁଟିଲା ଜୁନିଅର ରେଡ଼କ୍ରସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶୀତଳଷଷ୍ଠୀ ଅବସରରେ ବଲାଙ୍ଗିର ଜିଲ୍ଲା ଜୁନିଅର ରେଡ଼କ୍ରସ ୟୁନିଟ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଏକ ଭବ୍ୟ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏହି ସେବା କାର୍ଯ୍ୟକ୍ରମ ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିର ବାର୍ତ୍ତା ଆଣିଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମହତ ସେବା କାର୍ଯ୍ୟରେ ଏଡିଇଓ ପ୍ରବୀର ପଣ୍ଡା, ଏଡିଇଓ ରୀନା କୁମାରୀ ବେହେରା, ଏଡିଇଓ ସେବାଶ୍ରୀ ଭୋଇ, ଜୁନିଅର ରେଡକ୍ରସ ସମ୍ପାଦକ ପ୍ରଦୀପ ପାତ୍ର, ଜୁନିଅର ରେଡକ୍ରସ ଅଫିସର ବିକାଶ ରଞ୍ଜନ ସାହୁ, ଜିଲ୍ଲା ଅର୍ଗାନାଇଜିଙ୍ଗ କମିସିନର (ଗାଇଡ଼) ଜୟଶ୍ରୀ ପୋଢ଼ଙ୍କ ସମେତ ଜୁନିଅର ରେଡ଼କ୍ରସର ସମସ୍ତ ପରାମର୍ଶଦାତା, ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନଙ୍କ ସମେତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସକ୍ରୀୟ ସହଯୋଗ କରିଥିଲେ । ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ, ପଥଚାରୀ ଏବଂ ସାଧାରଣ ଜନତାଙ୍କୁ ଶୀତଳ ଦହିପଣା ପରିବେଷଣ କରାଯାଇଥିଲା । ତୀବ୍ର ଖରା ଓ ଅସହ୍ୟ ଗରମ ମଧ୍ୟରେ ଏହି ଦହିପଣା ସେବନ କରି ଅନେକ ଲୋକ ନିଜର ତୃଷ୍ଣା ମେଣ୍ଟାଇବା ସହ ଆରାମ ଅନୁଭବ କରିଥିଲେ । ମାନବ ସେବା ହିଁ ମାଧବ ସେବାର ବାର୍ତ୍ତାକୁ ଆଗେଇ ନେଇ ଜିଲ୍ଲା ଜୁନିଅର ରେଡକ୍ରସ ୟୁନିଟ ପକ୍ଷରୁ ଆୟୋଜିତ ଏହି ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ସାମାଜିକ ସେବା, ସହଯୋଗ ଓ ମାନବିକତାର ଏକ ଉତ୍କୃଷ୍ଟ ନିଦର୍ଶନ ସୃଷ୍ଟି କରିଥିଲା । ଉପସ୍ଥିତ ଜନସାଧାରଣ ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରସଂଶା କରଥିଲେ ।

Leave A Reply

Your email address will not be published.