jayashree

ଗୋହିରାପଦରରେ ମହାଲକ୍ଷ୍ମୀ ସ୍ନାନ ଉତ୍ସବ ଓ ଜଗନ୍ନାଥଙ୍କ ମୁଖ୍ୟସେବକଙ୍କୁ ରାଜ୍ୟାଭିଷେକ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋହିରାପଦର ଗାଁରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ରଜସଂକ୍ରାନ୍ତି ସମ୍ପନ୍ନ ପରେ ମହାଲକ୍ଷ୍ମୀଙ୍କ ସ୍ନାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚତୀର୍ଥ ଜଳରେ ମା’ ଜଗତ ଜନନୀଙ୍କୁ ସ୍ନାନ କରାଯାଇଛି । ଏହି ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟସେବକଙ୍କୁ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୂଜକ କିଶୋର ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ । ମହାଲକ୍ଷ୍ମୀ ମନ୍ଦିର ନିର୍ମାତା ଅର୍ଜୁନ ମେହେର ଓ ପ୍ରଜ୍ଞା ମେହେର ସାମିଲ ହୋଇଥିଲେ । ଆଗାମୀ ରଥଯାତ୍ରା ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ସେବକ ପିତାମ୍ବର ମେହେରଙ୍କୁ ଗ୍ରାମବାସୀ ଓ ମନ୍ଦିର କମିଟି ତରଫରୁ ମନୋନୀତ କରାଯାଇଥିଲା । ସ୍ଥାନୀୟ ଗୁରୁଣ୍ଡା ଗାଁର ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ମୁଖ୍ୟ ସେବକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ରାଜ୍ୟାଭିଷେକ କାର୍ଯ୍ୟକ୍ରମରେ ରାଜତିଳକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଲୋକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ପିତାମ୍ବର ମେହେର ଓ ଗୋମନୀ ମେହେରଙ୍କ ୫୦ତମ ବିବାହ ବାର୍ଷିକୀ ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଯୋଗେନ୍ଦ୍ର ମେହେର, ପୁତ୍ରବଧୂ ବବିତା ମେହେର, କନିଷ୍ଠ ପୁତ୍ର ନୀଳକଣ୍ଠ ମେହେର ଓ ପୁତ୍ରବଧୂ ମହାଶ୍ୱେତା ମେହେର ତାଙ୍କ ନାତି ସ୍ୱାଗତ, ସ୍ୱସ୍ତିକ ଗୋଲୁ ନାତୁଣୀ ପ୍ରାଚୀ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ଏଥିରେ ଗ୍ରାମବାସୀ ଓ ଆୟୋଜକ କମିଟିମାନେ ସହଯୋଗ କରିଥିଲେ । ଗାଁରେ ପ୍ରଥମ ବର୍ଷ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ରଥଯାତ୍ରା ଅନୁଷ୍ଠିତ ହେବ ।

Leave A Reply

Your email address will not be published.