jayashree

ଗାଙ୍ଗପୁର ମଜଦୁର ମଂଚ ପକ୍ଷରୁ ୧୧ ଦଫା ଦାବି ନେଇ ବିରୋଧ ପ୍ରଦର୍ଶନ

ରାଉରକେଲା, (କେପିଏନ୍‌ଏସ୍‌) : ଗାଙ୍ଗପୁର ମଜଦୁର ମଂଚ ପକ୍ଷରୁ ୧୧ ଦଫା ଦାବି ନେଇ ବିର୍ସାଛକ ଠାରେ ଆନ୍ଦୋଳନ କରାଯିବା ସହ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ କରାଯାଉଥିବା ଅନ୍ୟାୟ ବିରୋଧରେ ପ୍ରଦର୍ଶନ କରାଯାଇଥିଲା । ଇସ୍ପାତ କାରଖାନାରେ କାର୍ଯ୍ୟରତ ସ୍ଥାୟୀ, ଅସ୍ଥାୟୀ ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ମନରେ ଏବେ ଭୟ ଏବଂ ଅନିଶ୍ଚିତତା ଭରି ରହିଛି । ତାର କାରଣ ହେଉଛି ଗତ କିଛି ଦିନ ମଧ୍ୟରେ ଆର୍ଏସ୍ପି କର୍ତ୍ତୃପକ୍ଷ ଏବଂ ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ନିଷ୍ପତି ପାଇଁ ଲମ୍ବିତ ବକେୟା, ଆବାସ ନୀତି ଏବଂ ଚାକିରି ସୁରକ୍ଷା ଉପରେ ନିଆଯାଇଥିବା ନିଷ୍ପରି ପାଇଁ ଶ୍ରମିକ ଓ କର୍ମଚାରୀମାନଙ୍କ ମନରେ ଭୟ ଏବଂ ଆଶଙ୍କା ସୃଷ୍ଟି ହୋଇଛି । ଯେପରିକି ଶ୍ରମିକମାନଙ୍କ ୩୯ ମାସର ବକେୟା ଆରଏସପି ପକ୍ଷରୁ ପ୍ରଦାନ କରାନଯିବା, ଅବସରପ୍ରାପ୍ତ କର୍ମଚାରୀମାନେ ତାଙ୍କର ଜୀବନ ସଂଚିତ ଅର୍ଥରେ ଲାଇସେନ୍ସରେ ପାଇଥିବା ପୁରୁଣା ଦଦରା ଘରକୁ ବାସଉପଯୋଗୀ କରିଥିବା ଘରକୁ ଭାଙ୍ଗିବା ପାଇଁ ଆରଏସପି ପକ୍ଷରୁ ନୋଟିସ ଦିଆଯିବା, ୩୫ ଜଣ କର୍ମଚାରୀଙ୍କୁ ଟାଇନସିପରୁ ପ୍ଲାଂଟ ଭିତରକୁ ଏକତରଫା ଏବଂ ଆବଶ୍ୟକ ଅନୁସାରେ ଚୟନ କରିବା ପଦ୍ଧତିରେ ସ୍ଥାନାନ୍ତରିତ କରିବା ଭଳି ଶ୍ରମିକ ବିରୋଧୀ ଏବଂ ଅମାନବୀୟ ନିଷ୍ପତି ପାଇଁ ରାଉରକେଲା ସହରରେ ଭୟ ଏବଂ ଆତଙ୍କ ବାତାବରଣ ସୃଷ୍ଟି ହୋଇଛି । ତେଣୁ ଗାଙ୍ଗପୁର ମଜଦୂର ମଂଚ ପକ୍ଷରୁ ବିର୍ସା ଛକ ତଥା ରାଉରକେଲା ଇସ୍ପାତ କାରଖାନା ସମ୍ମୁଖରେ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଛି ବୋଲି କହିଥିଲେ ମଜଦୁର ମଂଚର କର୍ମକର୍ତ୍ତାମାନେ । ଗାଙ୍ଗପୁର ମଜଦୂର ମଂଚ ପକ୍ଷରୁ ଏହି ଗଣ ବିକ୍ଷୋଭରେ ଏହି ୧୧ ଦଫା ଦାବିକୁ ଉପସ୍ଥାପିତ କରାଯାଇଥିଲା । ସେଗୁଡିକ ହେଲା ୩୯ ମାସର ଲମ୍ବିତ ବକେୟାକୁ ପ୍ରଦାନ କରାଯିବା, ଗ୍ରାଚୁଇଟି ସୀମା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା, ବୋନସ୍ ସୀମା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା, ଠିକା ଶ୍ରମିକମାନଙ୍କୁ କେନ୍ଦ୍ରୀୟ ନ୍ୟୁନତମ ମଜୁରୀକୁ ଲାଗୁ କରିବା । ଏଥିସହିତ ଚାକିରିର ସୁରକ୍ଷା ପାଇଁ ଶ୍ରମିକ ବିରୋଧୀ ଲେବର କୋର୍ଡକୁ ପ୍ରତ୍ୟାହାର କରିବା, ମନମୁଖୀ ଓ ଅଯୌକ୍ତିକ ବଦଳି ତୁରନ୍ତ ବନ୍ଦ କରିବା, ଇସ୍ପାତ କାରଖାନାର ଘରୋଇକରଣର ଷଡଯନ୍ତ୍ର ବନ୍ଦ କରିବା, ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ ଚାକିରୀ ଦେବା । ଆବାସର ସୁରକ୍ଷା ପାଇଁ କ୍ୱାର୍ଟର୍ସ ରଖିବା ପାଇଁ ପୁରୁଣା ନୀତି ପୂର୍ବଭଳି ଜାରି ରଖାଯିବା ପାଇଁ ଦାବି କରାଯାଇଛି । ଲାଇସେନ୍ସଧାରୀ କ୍ୱାର୍ଟର୍ସ ଖାଲି କରିବା ନୋଟିସକୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଛି । କ୍ୱାର୍ଟର ଲିଜଧାରୀ ତଥା ପୂର୍ବ କର୍ମଚାରୀଙ୍କୁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଧମକ ଦେବା ବନ୍ଦ କରାଯିବାକୁ ଦାବି କରାଯାଇଛି । ଗାଙ୍ଗପୁର ମଜଦୁର ମଂଚ ପକ୍ଷରୁ କୁହାଯାଇଛି ଯେ, ଏହା କୌଣସି ଗୋଟିଏ ବ୍ୟକ୍ତିର ଲଢେଇ ନୁହେଁ, ଏହା ଆମ ସମସ୍ତଙ୍କ ଅସ୍ତିତ୍ୱର ଲଢେଇ । ଆଜି ଯଦି ଆମେ ଏକାଠି ନହେବା, ତେବେ କାଲି ଆମ ହକ୍ କେହି ଫେରାଇ ଦେବେ ନାହିଁ ବୋଲି ବିର୍ସା ଛକରେ ଆନ୍ଦୋଳନରେ ଆହ୍ୱାନ ଦିଆଯାଇଛି । ଗାଙ୍ଗପୁର ମଜଦୁର ମଂଚ ପକ୍ଷରୁ ଏହି ଆନ୍ଦୋଳନ ସଭାପତି ତଥା ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ, ସାଧାରଣ ସମ୍ପାଦକ ଗୋପାଳ ଦାସଙ୍କ ନେତୃତ୍ୱରେ ହୋଇଥିଲା । ଏହି ଅବସରରେ କାର୍ଯ୍ୟକାରୀ ସଭାପତି ମାଙ୍ଗେ ଏକ୍କା, ଉପସଭାପତି-ଥୋମାଷ ଟୋପ୍ପୋ, ଚିତରଞ୍ଜନ ଭୁମିଜ, ବିଷ୍ଣୁଚରଣ ମହାନ୍ତ, ରାଜେଶ ତିର୍କୀ, ସରୋଜିନୀ ଟୋପ୍ପୋ, ବାଶିଲ ଏକ୍କା, ସମ୍ପାଦକ- ପ୍ରମେଶ୍ୱର ଅମାତ, ଭଗବାନ ନାୟକ, ଫେଲିକ୍ସ ଏକ୍କା, ରାଜୁ ବଡ଼ାଇକ, ବିଶେମ୍ବର ପଶାୟତ, ହେରମନ ଲାକ୍ରା, ପିତାମ୍ବର ଭୁମିଜ, ମହାବୀର ଦାସ, ସରୋଜ ରୋଜ କିଣ୍ଡୋ, ଆନନ୍ଦ ସାହୁ, ଶ୍ରୀହରୀ ମୁଗୁରୀ, ଆଲଫୋସ ଏକ୍କା, ଜେ.ଜେ.ଏକ୍କା, ଝରଣା ଅମାତ, ଇଗ୍ନେଶ କିଷାନ, ରାଜୁ କିଷାନ, ଏଲ୍ ଡୁଙ୍ଗଡୁଙ୍ଗ, କୋଷାଧ୍ୟକ୍ଷ-ଆନନ୍ଦ ଟୋପ୍ନଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.