
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସହ ଅନୁବନ୍ଧିତ ଟିଟିଲାଗଡ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତ୍ତକୋତ୍ତର ଓ ସ୍ନାତକ ପରୀକ୍ଷା ଫଳ ପୁସ୍ତିକା କୁଳପତିଙ୍କ ଅନୁମୋଦନ କ୍ରମେ ସୋମବାର ଦିନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ୟ୍ୟାଳୟରେ ଉନ୍ମୋଚନ କରାଗଲା । ଏହି ଫଳାଫଳ ଉନ୍ମୋଚନ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଶ୍ରୀମତୀ ଅଳକା ନନ୍ଦ ମଲ୍ଲ, ଉପ ପରୀକ୍ଷା ନିୟନ୍ତ୍ରକ ଭବାନୀ ଶଙ୍କର ଭୋଇ, ପ୍ରଶାସନିକ ପ୍ରଭାରୀ ଅରୁଣ କୁମାର ପ୍ରଧାନ, ବରିଷ୍ଠ କିରାଣୀ ବିଶ୍ୱମ୍ବର ବାଗ, କନିଷ୍ଠ କିରାଣୀ ବିନୋଦ ପଟ୍ଟନାୟକ, ହିନ୍ଦୀ ବିଭାଗର ଅଧ୍ୟାପକ ମନୋଜ କୁମାର ପଟେଲ, ସଂସ୍କୃତ ବିଭାଗର ଅଧ୍ୟାପକ ବେଦବର ରଣା ପ୍ରମୁଖ ଉପସ୍ଥିତ ଥିଲେ । ସ୍ନାତ୍ତକୋତ୍ତର ଓଡିଆ ବିଭାଗରେ ଶତ ପ୍ରତିଶତ ପାସ ହାର ରହିଥିବା ବେଳେ ସସ୍ମିତା ମେହେର ସର୍ବୋଚ୍ଚ ନମ୍ବର ରଖିଛନ୍ତି । ସେହିପରି ରାଜନୀତି ବିଜ୍ଞାନରେ ପାସ ହାର ଶତ ପ୍ରତିଶତ ରହିଥିବା ବେଳେ ଅଦ୍ୟାଶା ପାଲ ସର୍ବୋଚ୍ଚ ନମ୍ବର ରଖିଛନ୍ତି ଏବଂ ରସାୟନ ବିଜ୍ଞାନରେ ୮୦ ପ୍ରତିଶତ ପାସ ହାର ରହିଥିବା ବେଳେ ପଞ୍ଚାନନ ପାଣିଗ୍ରାହୀ ସର୍ବୋଚ୍ଚ ନମ୍ବର ରଖିଛନ୍ତି । ସେହିଭଳି ମହାବିଦ୍ୟାଳୟର ସ୍ନାତକ କଳା ବିଭାଗରେ ୮୨.୫୯ ପ୍ରତିଶତ ପାସ ହାର ରହିଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗର ପୃଥିବୀରାଜ ବଞ୍ଛୋର ସର୍ବୋଚ୍ଚ ନମ୍ବର ରଖିଛନ୍ତି, ବିଜ୍ଞାନ ବିଭାଗରେ ୮୬.୯୯ ପ୍ରତିଶତ ପାସ ହାର ରହିଥିବା ବେଳେ ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ ଆଶା ପୃଷ୍ଟି ସର୍ବାଧିକ ନମ୍ବର ରଖିଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ୭୭.୫୫ ପ୍ରତିଶତ ପାସ ହାର ରହିଥିବା ବେଳେ ଅମିସା ମହାପାତ୍ର ସର୍ବୋଚ୍ଚ ନମ୍ବର ରଖିଛନ୍ତି । ମହବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଅଧ୍ୟକ୍ଷ ଅଶ୍ୱିନୀ କୁମାର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଛନ୍ତି । ଅପର ପକ୍ଷେ ପରୀକ୍ଷାରେ ସଫଳତା ପାଇଁ ଅଧ୍ୟାପକ ଅଧ୍ୟାପିକାମାନଙ୍କ ନିଷ୍ଠା ଏବଂ ଛାତ୍ରଛାତ୍ରୀଙ୍କ ପରିଶ୍ରମକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି ।