jayashree

ଲାୟନ୍ସ କ୍ଲବ୍ ଅଫ୍ ପଦ୍ମପୁରର ୩୫ତମ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାୟନ୍ସ କ୍ଲବ୍ ଅଫ୍ ପଦ୍ମପୁରର ୩୫ତମ ଶପଥ ଗ୍ରହଣ ସମାରୋହ ସ୍ଥାନୀୟ ଲାୟନ୍ସ ଭବନଠାରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ସମ୍ମାନିତ ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ସେବା, ନେତୃତ୍ୱ ଓ ସାମାଜିକ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଗଭର୍ଣ୍ଣର-ଇଲେକ୍ଟ ଲାୟନ୍ ଚରଣଜିତ କୌର ହୁରା ଇନଷ୍ଟଲେସନ୍ ଅଫିସର ଭାବେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ଅତିଥି ସମ୍ମାନୀୟ ଭାବେ ଲାୟନ୍ ପ୍ରଦୀପ ଅଗ୍ରୱାଲ ଉପସ୍ଥିତ ରହି ନୂତନ ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ । କ୍ଲବ୍‌ର ସଭାପତି ଲାୟନ୍ ପ୍ରୀତମ ମେହେର ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ସଭାପତି ଭାବେ ଲାୟନ୍ ସୌମ୍ୟଜିତ ପାଢ଼ୀ, ସମ୍ପାଦକ ଭାବେ ଲାୟନ୍ ଶାଶ୍ୱତ ଦାଶ ଏବଂ କୋଷାଧ୍ୟକ୍ଷ ଭାବେ ଲାୟନ୍ ରାଜେନ୍ଦ୍ର ମେହେର ଦାୟିତ୍ୱ ଗ୍ରହଣ କରିଥିଲେ । ସଭାପତି ଲାୟନ୍ ସୌମ୍ୟଜିତ୍ ପାଢ଼ୀ ଆଗାମୀ ବର୍ଷ ପାଇଁ ହେବାକୁ ଥିବା ସେବା କାର୍ଯ୍ୟକ୍ରମ ମାନଙ୍କର ବିବରଣୀ ପ୍ରଦାନ କରିଥିଲେ । ସମାରୋହରେ ଦୁଇଜଣ ନୂତନ ସଦସ୍ୟଙ୍କୁ ଲାୟନ୍ସ ପରିବାରରେ ସାମିଲ କରାଯାଇଥିଲା । ପୂର୍ବତନ ଜିଲ୍ଲା ଗଭର୍ନର (ପିଡିଜି) ଲାୟନ୍ ବେଣୁମାଧବ ଡୋରା ଓ ଦ୍ୱିତୀୟ ଉପ ଜିଲ୍ଲା ଗଭର୍ଣ୍ଣର-ଇଲେକ୍ଟ ମେଜର ଚିତ୍ତରଞ୍ଜନ ଦାଶ ନୂତନ ଟିମ୍‌କୁ ଆଶୀର୍ବାଦ ଓ ଶୁଭେଚ୍ଛା ପ୍ରଦାନ କରିଥିଲେ । କ୍ଲବ୍‌ର ବିକାଶ ଓ ସେବା କାର୍ଯ୍ୟକ୍ରମରେ ଅବଦାନ ପାଇଁ ଲାୟନ୍ସ କ୍ଲବ୍ ଅଫ୍ ପଦ୍ମପୁରର ସମସ୍ତ ପୂର୍ବତନ ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଲାୟନ୍ସ କ୍ଲବ୍ ଅଫ୍ ପାଟଣାଗଡ଼, ପାଟଣାଗଡ଼ ଆଚିଭର୍ସ, ପାଇକମାଲ ନୃସିଂହନାଥ, ଗୋଦଭଗା ରୟାଲ ଏବଂ ଟିଟିଲାଗଡ଼ର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲେ । ଶେଷରେ ନବନିର୍ବାଚିତ ସମ୍ପାଦକ ଲାୟନ୍ ଶାଶ୍ୱତ ଦାଶ ଧନ୍ୟବାଦ ଅର୍ପଣ କରି ସମାରୋହର ସଫଳ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.