
ରାଉରକେଲା, (ସସ୍ମିତା ପ୍ରଧାନ) : ୟୁନିଟେକ ଗ୍ରୁପ ଅଫ୍ କମ୍ପାନୀ ଏବଂ ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏକାଡେ଼ମିକ ଏକ୍ସିଲେନ୍ସ ଆୱାର୍ଡ – ୨୦୨୬ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷ ବିଭିନ୍ନ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ମାର୍ଟ ସିଟି ରାଉରକେଲାର ୧୫୦ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏନ୍ଆଇଟି ସ୍ଥିତ ପିକେ ପରିଜା ଅଡ଼ିଟୋରିୟମ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ଏନ୍ଆଇଟିର ରେଜିଷ୍ଟାର ପ୍ରଫେସର ରୋହନ ଧୀମାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୈକ୍ଷିକ ଉତ୍କର୍ଷତା ଓ କୌଶଳ ବିକାଶକୁ ପ୍ରୋତ୍ସାହନ ଦେବାର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ୟୁନିଟେକ ଗ୍ରୁପର ଏମ୍.ଡି ହର୍ଷ ଆର୍ଯ୍ୟ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ଉଦଘାଟନୀ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ସେ ତାଙ୍କ ପ୍ରେରଣା ଦାୟକ ଅଭିଭାଷନରେ ନିଜର ଶିକ୍ଷାଜୀବନର ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ । କଠିନ ପରିଶ୍ରମ, ନିରନ୍ତରତା ଓ କୌଶଳ ବିକାଶ ହିଁ ଜୀବନର ସଫଳତାର ଚାବିକାଠି ବୋଲି କହିଥିଲେ । ୟୁନିଟେକ ଗ୍ରୁପର ଚେୟାରମ୍ୟାନ ନରେଶ ଆର୍ଯ୍ୟ ଏଥିରେ ଅଧ୍ୟକ୍ଷତା କରିବା ସହ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ପ୍ରଯୁକ୍ତିକୁ ଅଙ୍ଗିକାର କରିବା ଓ ଭବିଷ୍ୟତ ପାଇଁ ନିଜକୁ ସଦା ପ୍ରସ୍ତୁତ ରଖିବାକୁ ପ୍ରେରିତ କରିଥିଲେ । ସମ୍ମାନିତ ଅତିଥି ଭାବେ ୱାଇଏମ୍ଏଫଆଇର ଉପଦେଷ୍ଟା ଇଂ ନଳିନୀ କାନ୍ତ ଧର ଯୋଗ ଦେଇ ଛାତ୍ରଛାତ୍ରୀମାନେ ନିରନ୍ତର ପରିବର୍ତ୍ତନଶୀଳ ସମୟକୁ ଧ୍ୟାନରେ ରଖି ଭବିଷ୍ୟତ ପାଇଁ ନିଜକୁ ଅନୁକୂଳ ରଖିବାକୁ ଆହ୍ୱାନ କରିଥିଲେ । ୱାଇ.ଏମ୍.ଏଫ୍.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସେ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷାର୍ଥୀମାନେ ନିଷ୍ଠାବାନ, ସମୟାନୁବର୍ତ୍ତିତ ହେବା ସହ ଅଭିନବ ଚିନ୍ତାଧାରା, ଚରିତ୍ରବାନ ଓ ଦାୟିତ୍ୱବାନ ହୋଇ ଦେଶର ପ୍ରଗତିରେ ସହାଭାଗୀ ହେବାକୁ ଆହ୍ୱାନ କରିଥିଲେ । ସିବିଏସ୍ସି, ଆଇ.ସି.ଏସ୍.ସି ଓ ଓଡିଶା ବୋର୍ଡରୁ ଉତ୍ତୀର୍ଣ୍ଣ ହୋଇଥିବା ଦଶମ, ଦ୍ୱାଦଶ ଶ୍ରେଣୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମଂଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷୟିତ୍ରୀ ଶୁଭ୍ରା ମିଶ୍ର ସଂଯୋଜନା କରିଥିଲେ । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉଭୟ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।