jayashree

ପାନୀୟଜଳ ପାଇଁ ସିଧାମୂଳା ଗ୍ରାମବାସୀଙ୍କ ରାସ୍ତାରୋକ ଆନ୍ଦୋଳନ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକର ସିଧାମୂଳା ଗ୍ରାମ ଅଧୀନ ୪ଟି ୱାର୍ଡର ବାସିନ୍ଦା ଗତ ୫ ମାସ ହେଲା ପାଇପ ଲାଇନ ଯୋଗେ ପାନୀୟଜଳ ମୁନ୍ଦାଏ ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ଗ୍ରାମ ନିକଟରେ ମହାନଦୀ ପ୍ରବାହିତ ହେଉଥିଲେ ହେଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ସାଙ୍ଗକୁ ଖଣ୍ଡପଡ଼ା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଗ୍ରାମବାସୀ ପାନୀୟଜଳ ପାଇବା ନିମନ୍ତେ ସାମ୍ପ୍ରତିକ ପରିସ୍ଥିତିରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଏପରିକି ପାନୀୟଜଳ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବାରମ୍ବାର ଦାବି ହେବା ସତ୍ୱେ ମଧ୍ୟ ବ୍ଲକ ପ୍ରଶାସନ ଧ୍ୟାନ ଦେଉନଥିବାରୁ ଏହାର ପ୍ରତିବାଦରେ ଗ୍ରାମବାସୀଙ୍କ ସମେତ ଶତାଧିକ ମହିଳା ସିଧାମୂଳା ଗ୍ରାମ ଠାରେ ଶୁକ୍ରବାର ଅପରାହ୍ନରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଏକାଧିକ ଯାନବାହନ ଅଟକି ରହିଥିଲା । ଖବରପାଇ କଣ୍ଟିଲୋ ଫାଣ୍ଡି ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଜନସାଧାରଣଙ୍କୁ ବୁଝାଇବା ପରେ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନରୁ ଓହରି ଯାଇଥିବା ଜଣାଯାଇଛି । ଆନ୍ଦୋଳନକୁ ସମର୍ଥନ ଜଣାଇ ସିଧାମୂଳା ପଞ୍ଚାୟତର ପୂର୍ବତନ ସରପଞ୍ଚ ନିରଞ୍ଜନ ପଣ୍ତା ସମର୍ଥକଙ୍କ ସହ ଘଟଣାସ୍ଥଳରେ ଉପସ୍ଥିତ ରହି ଗ୍ରାମବାସୀଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ପ୍ରଶାସନ ତୁରନ୍ତ ଧ୍ୟାନ ଦେବା ସହ ଏ ସଂର୍ପକରେ ଖଣ୍ଡପଡା ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ତେବେ ଏନେଇ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷଙ୍କୁ ଯୋଗାଯୋଗ କରିବା ପରେ ଆସନ୍ତା ସୋମବାର ସୁଦ୍ଧା ଗ୍ରାମବାସୀଙ୍କ ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି । ଖଣ୍ଡପଡ଼ା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.