
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଅଞ୍ଚଳରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ପୋଲିସ ପିକଅପ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଛତିଶଗଡ଼ ରାଜ୍ୟର ଖୈରାଗଡ଼ ଥାନା ଅଞ୍ଚଳର କେକରାଜବୋଡ଼ ଗ୍ରାମର ତମେଶ୍ୱର କୁମାର ଯାଦବ ଗତ ୧୭ ତାରିଖ ରବିବାର ଦିନ ଗୋଟିଏ ପିକଅପ ଗାଡ଼ିରେ ପାଇପ ସାମଗ୍ରୀ ନେଇ ଲାଠୋର ଅଞ୍ଚଳକୁ ଆସିଥିଲେ । ସାମଗ୍ରୀ ଖାଲି କରି ଫେରୁଥିବା ସମୟରେ କରୁଆଁଝର ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ସାମ୍ନାରୁ ଆସୁଥିବା ଏକ ମୋଟରସାଇକେଲ ସହ ପିକଅପର ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବେଲପଡା ଥାନା ଅନ୍ତର୍ଗତ ଜାମଖାରୀ ଗ୍ରାମର ଗିରିଜା ଶଙ୍କର ଭୋଇ (୨୬) ଗୁରୁତର ଭାବେ ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ଖପ୍ରାଖୋଲ, ପରେ ପାଟଣାଗଡ଼ ଏବଂ ଶେଷରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମାମୁ ଡେବିରିଆମୁଣ୍ଡା ଗ୍ରାମର ରାଜୁ ଧୂବାଳଙ୍କ କହିବା ଅନୁଯାୟୀ, ଗିରିଜା ଶଙ୍କର ଶନିମେଳାରେ ଯୋଗଦେବା ପାଇଁ ମାମୁ ଘରକୁ ଆସିଥିଲେ । କୌଣସି କାମରେ ଠକପାଲି ଯାଇ ଫେରୁଥିବା ସମୟରେ ଏହି ଅଭାବନୀୟ ଦୁର୍ଘଟଣା ଘଟିଥିଲା । ଖବର ପାଇ ଲାଠୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପ ଓ ମୋଟର ସାଇକେଲକୁ ଜବତ କରି ଥାନାକୁ ଆଣିଥିଲେ । ଏନେଇ ଲାଠୋର ଥାନାରେ କେସ ନଂ–୮୪/୨୦୨୬ ରେ ମାମଲା ରୁଜୁ ହୋଇଥିବା ବେଳେ ଧାରା ୨୮୧/୧୦୬(୧) ବିଏନଏସ୍ ଅନୁଯାୟୀ ପିକଅପ ଡ୍ରାଇଭର ତମେଶ୍ୱର କୁମାର ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ଲାଠୋର ଥାନାଧିକାରୀ ଅଭିନାଶ ପଧାନ ସୂଚନା ଦେଇଛନ୍ତି ।