
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୃଜନ ସାହିତ୍ୟ ସଂସ୍କୃତି ସଂସଦ, ଛତ୍ରପୁର ଆନୁକୂଲ୍ୟରେ ସ୍ଥାନୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଏକ ମାସିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ପୌରପରିଷଦର କାଉନସିଲର ତଥା ବିଶିଷ୍ଟ ସମାଜସେବୀ ଦେବାଶିଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମାସିକ ଆସର ଲୋକଙ୍କ ମନରେ ସାହିତ୍ୟ, ଗଳ୍ପ ଓ କବିତା ପ୍ରତି ଭଲ ପାଇବରେ ପ୍ରମୁଖ ଭୂମିକା ନେଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର ନିଜ ଅଭିଭାଷଣରେ କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସଦର ସମ୍ପାଦକ ସୋମନାଥ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ଆୟୋଜିତ କବିତା ପାଠୋତ୍ସବକୁ କବୟିତ୍ରୀ ବାସନ୍ତିଲତା ସ୍ୱାଇଁ ସଂଯୋଜନା କରିଥିଲେ । କବି ଡ. ପ୍ରଶାନ୍ତ କୁମାର ଶତପଥୀ, ସୋମନାଥ ସାହୁ, ଶୈଳବାଳା ପାଣିଗ୍ରାହୀ, ବାସନ୍ତିଲତା ସ୍ୱାଇଁ, ମାଧବ ମହାପାତ୍ର, ଅଶ୍ୱିନୀ କୁମାର ଚୌଧୁରୀ, ଯତିରାଜ ନାୟକ, ବଳରାମ ପଲେଇ, ଦୁର୍ଗା ଚରଣ ପଲେଇ, ତ୍ରିନାଥ ସାହୁ, ଏ. ବିଶ୍ୱମ୍ବର, ନରେନ୍ଦ୍ର ପଣ୍ଡା, ସୁରେନ୍ଦ୍ର କୁମାର ସେନାପତି, ବିଜୟକୁମାର ରାଉଳ, ଜି. ପାପାରାଓ ଏବଂ ଟଙ୍କଧର ଛଟାଇ ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ପଠନ କରିଥିଲେ । ଏଭଳି ମାସିକ କବିତା ଆସର ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣିବା ସହ ଭାଷାର ସୁରକ୍ଷା ଓ ବିକାଶରେ ସହାୟକ ହେବ ବୋଲି ସଭାପତି ଡ. ଶତପଥୀ ନିଜ ବକ୍ତବ୍ୟରେ କହିଥିଲେ । ଶେଷରେ ସନ୍ତୋଷ କୁମାର ବଡ଼ତ୍ୟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।