
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ମେଧାବୀ ଛାତ୍ରୀ ଆରାଧ୍ୟା ପ୍ରଧାନ ଚଳିତ ଶିକ୍ଷାବର୍ଷ ଏନ୍ଏମ୍ଏମଏସ୍ ୨୦୨୫-୨୬ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରି ସ୍କୁଲ ଏବଂ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଆରାଧ୍ୟାଙ୍କ ଏହି ସଫଳତା ପଛରେ ତାଙ୍କର ନିରନ୍ତର ପରିଶ୍ରମ, ନିୟମିତ ଅଧ୍ୟୟନ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ମୁଖ୍ୟ ଭୂମିକା ରହିଛି । ଏହି ସଫଳତାରେ ବିଦ୍ୟାଳୟରେ ଖୁସିର ପରିବେଶ ସୃଷ୍ଟି ହୋଇଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ପହଣ୍ଡି ବିଜୟ ମେହେର, ବରିଷ୍ଠ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ତଥା ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଆରାଧ୍ୟାଙ୍କ ଏହି କୃତିତ୍ୱ ଅନ୍ୟ ଛାତ୍ରୀମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ । ଭବିଷ୍ୟତରେ ସେ ଆହୁରି ଉଚ୍ଚ ସଫଳତା ଅର୍ଜନ କରନ୍ତୁ ବୋଲି ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।