
କେସିଙ୍ଗା, (ପ୍ରୀତେଶ ପଟେଲ ) : କେସିଙ୍ଗା ବାସୀଙ୍କ ବହୁତ ବର୍ଷର ସ୍ୱପ୍ନ କେସିଙ୍ଗାରୁ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ ଆସନ୍ତା ୨୪ ମେ ରେ ପୂରଣ ହେବ । ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚାଲିବ ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ । କେନ୍ଦ୍ର ରେଳ ମନ୍ତ୍ରାଳୟ ଏହାକୁ ଅନୁମୋଦନ ଦେଇଛନ୍ତି । ଏହି ଟ୍ରେନଟି ପୁରୀରୁ ସମ୍ବଲପୁର, ଟିଟିଲାଗଡ, କେସିଙ୍ଗା, ରାୟଗଡ ଦେଇ କୋରାପୁଟ ଯିବ । ଏହି ଟ୍ରେନ ସପ୍ତାହକୁ ତିନି ଥର ଚାଲିବ । ଟ୍ରେନ ନମ୍ବର ୧୮୪୦୭ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ ଟ୍ରେନ ନମ୍ବର ୧୮୪୦୮ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ବାହାରିବ । ଏହି ନୂତନ ଟ୍ରେନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ନୂଆ ଟ୍ରେନ ଯୋଗୁଁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କଳାହାଣ୍ଡି ସାଂସଦ ମାଳବିକା ଦେବୀ ଓ ରାଜ୍ୟସଭା ସାଂସଦ ସୁଜିତ୍ ସେଠଙ୍କୁ ତାଙ୍କର ଏହି ପ୍ରଚେଷ୍ଟା ପାଇଁ କେସିଙ୍ଗା ବାସୀ ଧନ୍ୟବାଦ୍ କରିଛନ୍ତି । ଏହି ଟ୍ରେନ ପାଇଁ କୋରାପୁଟ ଓ ସମ୍ବଲପୁର ଅଞ୍ଚଳରୁ ପୁରୀକୁ ଅଧିକ ତୀର୍ଥଯାତ୍ରୀ ମଧ୍ୟ ଆସିପାରିବେ । ଏହି ଟ୍ରେନରେ ୧୯ଟି ଷ୍ଟପେଜ୍ ରହିବ । ଏହି ଷ୍ଟପେଜ୍ ଗୁଡିକ ହେଲା ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର, ବରଗଡ ରୋଡ୍, ବଲାଙ୍ଗିର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟଗଡା, ଟିକିରି, ଲକ୍ଷ୍ମୀପୁର ରୋଡ୍, କିକିରିଗୁମା ଓ ଦାମନଯୋଡି । ଏହି ଟ୍ରେନ ଚଳାଚଳ ପାଇଁ କେସିଙ୍ଗା ବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।