
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏକ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ମନୋରଞ୍ଜନ ପାଣିଗ୍ରାହୀ, ଡ. ସଞ୍ଜୟ କୁମାର ପଣ୍ଡା ଏବଂ ଡ. ରମେଶ ଚନ୍ଦ୍ର ମଲ୍ଲିକ ସମ୍ବଳ ବ୍ୟକ୍ତିତ୍ୱ ଭାବେ ଉପସ୍ଥିତ ରହି ଜିଲ୍ଲାର ସମସ୍ତ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଡ. ସାହୁ କହିଥିଲେ ଯେ ଓଡ଼ିଆ ଭାଷାର ଆନ୍ଦୋଳନକାରୀ ମାନଙ୍କ ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି । ଓଡ଼ିଆ ଭାଷାରେ ଆମେ ଅନେକ କାମ କରିପାରିବା । ଆମ ପିଲାମାନେ ଓଡ଼ିଆ କହିଲେ ଆମେ ଗର୍ବିତ ହେବା ଉଚିତ । ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆର ବ୍ୟବହାର କରାଯାଇପାରିବ ଏବଂ ଓଡ଼ିଆ ଭାଷାର ବ୍ୟବହାରରେ ଆମ ଜିଲ୍ଲା ରାଜ୍ୟରେ ପ୍ରତିନିଧିତ୍ୱ କରିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି । ସୂଚନା ଯେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏହି ଶିବିର ପ୍ରତ୍ୟେକ ଜିଲ୍ଲାରେ ଆୟୋଜନ କରାଯାଉଛି ଏବଂ ସୁବର୍ଣ୍ଣପୁର ହେଉଛି ଅଷ୍ଟମ ଜିଲ୍ଲା । ଶିବିରରେ ଓଡ଼ିଆ ଭାଷାରେ କାମ କରିବା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସଚେତନତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ଓଡିଶା ପାଇଁ ଓଡ଼ିଆ ଭାଷା ସର୍ବଶ୍ରେଷ୍ଠ ବୋଲି ଉଲ୍ଲେଖ କରାଯାଇଥିଲା ଏବଂ ଓଡ଼ିଆ ଭାଷା ଦ୍ୱାରା ଶାସକ ଓ ଶାସିତ ମଧ୍ୟରେ ସମନ୍ୱୟ ସୃଷ୍ଟି ହେବ ବୋଲି କୁହାଯାଇଥିଲା । ଏହି ଶିବିରରେ ଆଗାମୀ ଦିନରେ ହେବାକୁ ଥିବା ସମସ୍ୟା ଉପରେ ଚର୍ଚ୍ଚା କରାଯାଇଥିଲା ଏବଂ ବିଭିନ୍ନ ପ୍ରୟୋଗିକ ଓ ବୈଜ୍ଞାନିକ ଶବ୍ଦ ପାଇଁ ବିଭିନ୍ନ ପୁସ୍ତକ ସମ୍ପର୍କରେ ଅବଗତ କରାଯାଇଥିଲା । ଶିବିର ଶେଷରେ ଜିଲ୍ଲା ସାଂସ୍କୃତି ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।