jayashree

ପିସିଓ ଚୌକି ମୋହରେ ବାବୁ ଠିକାଦାର ମହଲରେ ଅସନ୍ତୋଷ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ସକାଶେ ଜଣେ ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ତିନିବର୍ଷ କାର୍ଯ୍ୟକରିବା ପରେ ଅନ୍ୟତ୍ର ବଦଳି କରିବା ପାଇଁ ସରକାର ନିୟମ ପ୍ରଣୟନ କରିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ଏହି ନିୟମ କାମକରୁ ନାହିଁ । ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀମାନେ ୫ ବର୍ଷରୁ ଅଧିକ ସମୟ ଧରି ଆସ୍ଥାନ ଜମାଇ ରହିଥିବା ଦେଖିବାକୁ ମିଳିଛି । ଲୋଇସିଂହା ବ୍ଲକ କାର୍ଯ୍ୟାଳୟର ଉନ୍ନୟନ କିରାଣୀ ଜଣକୁ ଆଗଲପୁର ବ୍ଲକ କାର୍ଯ୍ୟାଳୟକୁ ବଦଳି ହୋଇଥିଲା । ମାସେ ଦୁଇମାସ କାମ କରିବା ପରେ କରିତକର୍ମା ବାବୁ ଜଣକ ସେଠାରୁ ଲୋଇସିଂହା ଆଇସିଡିଏସ ଅଫିସ ଓ ପରେ ପୁଣି ନିଜର ପୂର୍ବ ସ୍ଥାନ ବ୍ଲକ ଅଫିସକୁ ବଦଳି ହୋଇ ଆସିଛନ୍ତି । କୌଣସି କାରଣରୁ ବାବୁଙ୍କୁ ଚୌକି ମୋହ ଛାଡୁନାହିଁ । ଉପରିସ୍ଥ ଅଧିକାରୀଙ୍କୁ ହାତ କରି ନିଜର ଆସ୍ଥାନ ଜମାଇ ରଖିବାରେ ବାବୁ ବେଶ ମାହିର । ବ୍ଲକର କୌଣସି ଉନ୍ନୟନ ପ୍ରକଳ୍ପର ଫାଇଲ ଖୋଲିବା ସକାଶେ ଉନ୍ନୟନ କିରାଣୀ ସ୍ତରରେ ଲାଞ୍ଚ ନ ଦେଲେ ଫାଇଲ ଖୋଲୁନାହିଁ । ଏପରିକି ବ୍ଲକ କାର୍ଯ୍ୟାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜି ଯାଉଥିବା ଅଭିଯୋଗ ହେଉଛି । ରାଜନୈତିକ ଛକାପଞ୍ଝା ଯୋଗୁଁ ଏସବୁ ହେଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏ ନେଇ ବିଡ଼ିଓ ଅକ୍ଷୟ ପାଣି ଉଦୁଙ୍କୁ ପଚାରିବାରୁ “ସବୁ ଠିକଠାକ ଚାଲିଛି” କହି ଅସଲ ପ୍ରସଙ୍ଗକୁ ଏଡାଇ ଯାଇଥିଲେ । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave A Reply

Your email address will not be published.