
ସୋର/ବାଲେଶ୍ୱର, (କେପିଏନ୍ଏସ୍) : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନସ୍ଥ ହରିପୁର ଗାଁରେ ଘରଛାତ ପକାଇବାକୁ କେନ୍ଦ୍ର କରି ଭୟଙ୍କର ଗଣ୍ଡଗୋଳ ହୋଇ ପଡୋଶୀଙ୍କ ମରଣାନ୍ତକ ଆକ୍ରମଣରେ ନଣନ୍ଦ କମଳା ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଉଜ ଶକୁନ୍ତଳା ସେଠୀ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗତକାଲି ହରିପୁର ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଘରର ଛାତ ପଡିବା ଲାଗି ସେଣ୍ଟ୍ରିଙ୍ଗ କାମ ହେଉଥିଲା । ସେଣ୍ଟ୍ରିଙ୍ଗ ସମୟରେ ସେଣ୍ଟ୍ରିଙ୍ଗ ପଟା ପଡୋଶୀ ଭରତ ଜେନାଙ୍କ ସୀମାକୁ ବଢି ଯାଇଥିବା ନେଇ ଉଭୟ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଓ ପରେ ଉତ୍ୟକ୍ତ ହୋଇ ଭାରତ ଜେନା ଏବଂ ତାଙ୍କ ପୁଅ ମାନସ ଜେନା ସୁରେନ୍ଦ୍ରଙ୍କ ଭଉଣୀ କମଳା ଏବଂ ତାଙ୍କ ଭାଉଜ ଶକୁନ୍ତଳାଙ୍କୁ ତେଲେଙ୍ଗା କଟୁରୀ, କୋଦାଳରେ ମୁଣ୍ଡକୁ ହାଣିବା ସହ ଏକ ହାତୁଡିରେ ପିଟି ଦେଇ ଥିଲେ । ଉଭୟ ଗୁରୁତରଙ୍କୁ ପରିବାର ଲୋକେ ଖଇରା ମେଡିକାଲକୁ ନେଇଥିଲେ, ତେବେ ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଗତ ରାତିରେ କମଳାଙ୍କ ମୃତ୍ୟୁ ଘଟିଥିଲା । ସୁରେନ୍ଦ୍ର ଏ ନେଇ ଖଇରା ଥାନାରେ ଅଭିଯୋଗ କରିବା ପରେ ଖଇରା ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ କୋଦାଳ ଏବଂ ଏକ ହାତୁଡି ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି । ଅନ୍ୟପଟେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ବାଲେଶ୍ୱର ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି ।