
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତିଆ ଗ୍ରାମରେ ଏକ ବାହାଘର ଭୋଜି ଖାଇବା ପରେ ପ୍ରାୟ ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଘଟଣା ଅଞ୍ଚଳରେ ଚିନ୍ତା ଓ ଭୟର ପରିବେଶ ସୃଷ୍ଟି କରିଛି । ଅସୁସ୍ଥମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ବର୍ତ୍ତିଆ ଗ୍ରାମସ୍ଥିତ ପ୍ରହରୀ ମଣ୍ଡପରେ ସାଲାଇନ ଓ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଖପ୍ରାଖୋଲ ମେଡିକାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ସୁରଜ ଦୀପ ତୁରନ୍ତ ସଚେତନ ହୋଇ ଏକ ସ୍ୱତନ୍ତ୍ର ମେଡିକାଲ ଟିମ ସହ ଗ୍ରାମରେ ପହଞ୍ଚିଥିଲେ । ତାଙ୍କର ତ୍ୱରିତ ପଦକ୍ଷେପ, ଦକ୍ଷ ନେତୃତ୍ୱ ଓ ମାନବିକ ସେବାଭାବ ଫଳରେ ଆକ୍ରାନ୍ତମାନେ ସମୟମତେ ଚିକିତ୍ସା ସୁବିଧା ପାଇପାରିଛନ୍ତି । ଡା. ଦୀପଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ଭୁରିଭୁରି ପ୍ରଶଂସା କରୁଛନ୍ତି । ମେଡିକାଲ ଟିମରେ ଡାକ୍ତର ରଶ୍ମିତା ବେହେରା, ଡାକ୍ତର ଗୀତାଞ୍ଜଳି ପାତ୍ର, ଫାର୍ମାସିଷ୍ଟ ନିରାକାର ବାରିକ, ଗଗନ ପଣ୍ଡା, ଏଏନ୍ଏମ୍ ଚନ୍ଦ୍ରକାନ୍ତି ବରିହା ଓ କାଦମ୍ବିନୀ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ନିରନ୍ତର ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ଏହି ଘଟଣାର ଖବର ପାଇ ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ଉମାକାନ୍ତ ମେହେର ତୁରନ୍ତ ଖପ୍ରାଖୋଲ ଡାକ୍ତରଖାନାରେ ପହଞ୍ଚି ଆକ୍ରାନ୍ତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖୋଜଖବର ନେଇଥିଲେ । ସେ ରୋଗୀ ଓ ତାଙ୍କ ପରିବାରବର୍ଗଙ୍କୁ ଧର୍ଯ୍ୟ ଓ ସାହସ ରଖିବାକୁ ପରାମର୍ଶ ଦେଇଥିବାବେଳେ ସମସ୍ତଙ୍କୁ ଯଥା ସମୟରେ ଉଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା କହିଥିଲେ । ଏହା ସହିତ ସେ ଡାକ୍ତରୀ ଟିମ ସହ ଆଲୋଚନା କରି ଆକ୍ରାନ୍ତମାନଙ୍କ ଉନ୍ନତ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ଆଶ୍ୱାସନା ଦେଇଥିଲେ । ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି ।