jayashree

ବିଜେପି ଆଇଟି ସେଲ ସଂଯୋଜକ ନୀଳାଞ୍ଚଳ ଦରୁଆନଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ : ପୁଣି ବିରୋଧରେ ଲେଖିଲେ ମାରି ଦେବାର ଧମକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଚାଂଚଲ୍ୟ । ବିଜେପି ଆଇଟି ସେଲ ସଂଯୋଜକଙ୍କୁ ହତ୍ୟା ଧମକ । ରାତିଅଧରେ ବନ୍ଧୁକ ମୁନରେ ତାଙ୍କୁ ଘରୁ ଉଠାଇନେଲେ ୮ ଦୁର୍ବୃତ୍ତ । ବନ୍ଧୁ ଦେଖାଇ ଧମକ ଚମକ ଦେଇ ଅଧାବାଟରେ ଛାଡ଼ିଦେଲେ । ଏଭଳି ଏକ ଖବରକୁ ନେଇ ବରଗଡ଼ରେ ଆଲୋଡ଼ନ ସୃଷ୍ଟି ହୋଇଛି । ବିଜେପି ସେଲ ଆଇଟି ମୁଖ୍ୟ ନୀଳାଞ୍ଚଳ ଦରୁଆନଙ୍କୁ ହତ୍ୟା ଧମକ । ରାତି ଅଧରେ ସ୍କର୍ପିଓ ଗାଡ଼ିରେ ଘରୁ ଉଠାଇନେଇ ଜୀବନରେ ମାରିଦେବାକୁ ଧମକ । ଜିଲ୍ଲାରେ ନୀଳାଞ୍ଚଳ ଦରୁଆନ ଆଇଟି ବିଜେପି ଆଇଟି ସେଲ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ବନ୍ଧୁକ ମୁନରେ ଘରୁ ଉଠାଇ ନେଇ ଧମକ ଦେବା ଘଟଣାରେ ମେଲଛାମୁଣ୍ତା ଥାନା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ନୀଳାଞ୍ଚଳ ଦରୁଆନ । ପୂରା ଘଟଣାକୁ ନେଇ ମେଲଛାମୁଣ୍ଡା ଥାନା ଅଧିକାରୀଙ୍କୁ ସେ ଏକ ଲିଖିତ ଅଭିଯୋଗ କରିଛନ୍ତି । ୬ ତାରିଖ ରାତି ପ୍ରାୟ ଗୋଟାଏ ତିରିଶ ବେଳେ ସ୍କର୍ପିଓ ଗାଡ଼ିରେ ୮ଜଣ ବ୍ୟକ୍ତି ନିଜକୁ ମେଲଛାମୁଣ୍ଡା ପୋଲିସ କହି ଘର ଭିତରକୁ ପଶିଥିଲେ । ତଦନ୍ତ ବାହାନାରେ ନିଳାଂଚଳକୁ ଖୋଜିଥିଲେ । ନୀଳାଞ୍ଚଳଙ୍କୁ ଧକ୍କା ମାରିବାରୁ ପରିବାର ଲୋକେ ଏହାକୁ ବାରଣ କରିଥିଲେ । ପରେ ଜୋରଜବରଦସ୍ତ ଘରୁ ସ୍କିର୍ପିଓ ଗାଡ଼ିରେ ନେଇଯାଇଥିଲେ । ଗାଡ଼ିରେ ଧମକ ଦେଇ କହିଥିଲେ, ବିଜେପି ପାଖରେ କାହିଁକି ଅଛୁ, କାହିଁକି ବିଜେପି ପାଇଁ ପ୍ରଚାର କରୁଛୁ ବୋଲି କହିଥିଲେ । ଏମିତି ବନ୍ଧୁକ ଦେଖାଇ ଡରାଇଥିଲେ । ଆଗକୁ ବିଜେପି ପ୍ରଚାର କଲେ ଜୀବନରେ ମାରଦେବୁ ବୋଲି ଧମକ ଦେଇ ରାସ୍ତା ମଝିରେ ଛାଡ଼ି ଦେଇଥିଲେ । ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ନୀଳାଞ୍ଚଳ ଦରୁଆନ । ନିର୍ବାଚନ ସମୟରେ ବିଜେପିକୁ ସମର୍ଥନ କରିବା ଓ ଭୋଟ୍ ଦେବା କାରଣରୁ ବିଜେଡିର କିଛି ସମର୍ଥକ ଏହି କାଣ୍ଡ ଭିଆଇଛନ୍ତି ବୋଲି ସେ ଦର୍ଶାଇଛନ୍ତି । ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ନୀଳାଞ୍ଚଳ ଦରୁଆନ ।

Leave A Reply

Your email address will not be published.