csstore

ଜନ ବିରୋଧୀ କାର୍ଯ୍ୟ ପାଇଁ ଓଡିଶା ମେଟାଲିକ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

  • ସମାଧାନ ନ ହେଲେ ଆନ୍ଦୋଳନ, ଓଡିଶା ମେଟାଲିକ ବିରୋଧରେ ବଢୁଛି ଜନ ଅସନ୍ତୋଷ

ରାଉରକେଲା/​ଝାରସୁଗୁଡ଼ା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ଜିଲ୍ଲା ମରାକୁଟା ସ୍ଥିତ ଓଡ଼ିଶା ମେଟାଲିକ୍ସ କମ୍ପାନୀର ଜନବିରୋଧୀ କାର୍ଯ୍ୟକଳାପ ବିରୁଦ୍ଧରେ ମରାକୁଟା ଗ୍ରାମ ପଞ୍ଚାୟତ ପକ୍ଷରୁ ସ୍ୱର ଉତ୍ତୋଳନ କରାଯାଇଛି । ଶୁକ୍ରବାର ଦିନ ଗ୍ରାମବାସୀମାନେ ଏକତ୍ରିତ ହୋଇ ଝାରସୁଗୁଡ଼ା ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଉପ-ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କମ୍ପାନୀ ପ୍ରତିଷ୍ଠା ହେବା ପରେ ଅନେକ ପରିବାର ନିଜର ଚାଷଜମି ହରାଇଥିଲେ ମଧ୍ୟ ସେମାନଙ୍କୁ କମ୍ପାନୀରେ ନିଯୁକ୍ତି ଦିଆଯାଉ ନାହିଁ । ଏଥିସହିତ ପୂର୍ବରୁ କାର୍ଯ୍ୟରତ ଅଭିଜ୍ଞ ସ୍ଥାନୀୟ କର୍ମଚାରୀମାନଙ୍କୁ କୌଣସି କାରଣ ନଥାଇ ଛଟେଇ କରାଯାଉଛି କିମ୍ବା ସେମାନଙ୍କୁ ଠିକା ସଂସ୍ଥା ଅଧୀନରେ କାମ କରିବାକୁ ବାଧ୍ୟ କରାଯାଉଛି । ଅନ୍ୟପଟେ କମ୍ପାନୀ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦେବାରେ ଅଧିକ ଆଗ୍ରହ ପ୍ରକାଶ କରୁଥିବା ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ​ଅନ୍ୟ ଏକ ଗୁରୁତର ଅଭିଯୋଗ ଅନୁଯାୟୀ, କମ୍ପାନୀ ବେଆଇନ ଭାବେ ପ୍ରାୟ ୫୨ ଏକର ଗୋଚର ଜମି ଓ ଶ୍ମଶାନ ଜମିକୁ କବଜା କରି ପାଚେରୀ ନିର୍ମାଣ କରିଛି, ଯାହାଫଳରେ ଗ୍ରାମବାସୀଙ୍କ ଗୋରୁଗାଈଙ୍କ ଚରିବା ପାଇଁ ସମସ୍ୟା ସୃଷ୍ଟି ହେଉଛନ୍ତି । ଏହି ସବୁ ସମସ୍ୟାର ସମାଧାନ ଯଦି ଆସନ୍ତା ମେ’ ୧୩ ତାରିଖ ମଧ୍ୟରେ କମ୍ପାନୀ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆନଯାଏ, ତେବେ ଗ୍ରାମବାସୀମାନେ ଓଡ଼ିଶା ମେଟାଲିକ୍ସ କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ​ଏହି ଦାବିପତ୍ର ପ୍ରଦାନ ସମୟରେ ମରାକୁଟା ସରପଞ୍ଚ ଲିଲି ତନ୍ତୀ , ସମିତି ସଭ୍ୟା ସୁଜାତା ମେହେର, ନାଏବ ସରପଞ୍ଚ ଆଶିଷ କୁମାର ଗର୍ଡିଆଙ୍କ ସହିତ ଗୋଲାପ ବେହେରା, ଦିଲେଶ୍ୱର ମେହେର ଓ ଅନ୍ୟାନ୍ୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ସୂଚନା ଥାଉ କି ଓଡିଶା ମେଟାଲିକ କମ୍ପାନୀର ବେଆଇନ କାର୍ଯ୍ୟ କଳାପକୁ ନେଇ ଅଂଚଳରେ ଧୀରେ ଧୀରେ ଜନ ଅସନ୍ତୋଷ ବଢିବାରେ ଲାଗିଲାଣି । ଯଦି କମ୍ପାନୀ ଓ ଜିଲ୍ଲା ପ୍ରଶାସନ ଏହା ଉପରେ ସଠିକ ପଦକ୍ଷେପ ନ ନିଅନ୍ତି, ଆଗାମୀ ଦିନରେ ଏହା ବିରାଟ ଜନ ଆନ୍ଦୋଳନ ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

jayashree
Leave A Reply

Your email address will not be published.