
- “ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରେଡ଼କ୍ରସ ଆନ୍ଦୋଳନ ଉତ୍ସର୍ଗୀକୃତ”
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷାବିଭାଗ ତରଫରୁ ବିଶ୍ୱ ରେଡକ୍ରସ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ସମସ୍ତ ଅତିଥି ଜନ ହେନେରୀ ଡୁନାଣ୍ଟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ୱଳନ କଲାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତ ବର୍ଷର ପ୍ରସଙ୍ଗ “ମାନବିକତାରେ ଏକତା, ସଙ୍କଟ ସମୟରେ ଏକାଠି ଛିଡା ହେବା” କୁ ଆଧାର କରି ମାନବ ସେବା, ସହଯୋଗ ଓ ଭାତୃତ୍ୱର ସନ୍ଦେଶ ପ୍ରଚାର କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ରେଡକ୍ରସର ମାନବିକ କାର୍ଯ୍ୟକଳାପ ଓ ସମାଜ ସେବାରେ ଏହାର ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ରେଡକ୍ରସର ଆଦର୍ଶକୁ ଅନୁସରଣ କରି ସମାଜ ସେବାରେ ନିଜକୁ ସମର୍ପିତ କରିବାକୁ ସମସ୍ତ ପରାମର୍ଶଦାତାଙ୍କୁ ପ୍ରେରିତ କରିଥିଲେ । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରେଡ଼କ୍ରସ ଆନ୍ଦୋଳନ ଉତ୍ସର୍ଗୀକୃତ ଓ ସମାଜ ପ୍ରତି ରେଡ଼କ୍ରସର ଅବଦାନକୁ ସ୍ମରଣ ଲାଗି ପ୍ରତିବର୍ଷ ବିଶ୍ୱ ସ୍ତରରେ ଏହି ଦିବସ ପାଳନ କରାଯାଉଅଛି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା ନିଜ ବକ୍ତବ୍ୟରେ ବିଶ୍ୱ ରେଡକ୍ରସ ଦିବସ କେବଳ ଏକ ଆନୁଷ୍ଠାନିକ ପାଳନ ନୁହେଁ, ବରଂ ମାନବତା, ସେବା ଓ ସହଯୋଗର ମହାନ ବାର୍ତ୍ତାକୁ ସମାଜରେ ପ୍ରଚାର କରିବାର ଏକ ସୁଯୋଗ ବୋଲି କହିବା ସହ ଛାତ୍ରଛାତ୍ରୀମାନଙ୍କ ମନରେ ସେବାଭାବ, ସହାନୁଭୂତି ଓ ସାମାଜିକ ଦାୟିତ୍ୱବୋଧ ଜାଗୃତ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ସମ୍ପାଦକ ପ୍ରଦୀପ ପାତ୍ର ନିଜ ବକ୍ତବ୍ୟରେ ବିପଦ ସମୟରେ ଆଗକୁ ଆସି ସହଯୋଗ କରିବା, ରକ୍ତଦାନ ପ୍ରତି ସଚେତନତା ବୃଦ୍ଧି କରିବା ଓ ମାନବ କଲ୍ୟାଣରେ ନିଜକୁ ସମର୍ପିତ କରିବା ହିଁ ରେଡ଼କ୍ରସର ମୂଳଲକ୍ଷ୍ୟ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ମଞ୍ଚାସୀନ ଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ବିକାଶ ରଞ୍ଜନ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସାଧନକର୍ମୀ ଜୟକୃଷ୍ଣ ନାଏକ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ରାଜ୍ୟ ସାଧନକର୍ମୀ ଘନଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଦହିପାଣି ବଣ୍ଟନ କରାଯାଇଥିଲା । ପ୍ରଧାନଶିକ୍ଷକ ନରେନ୍ଦ୍ର ମିଶ୍ର, ଦ୍ଵିତୀ ରଞ୍ଜନ ମହାଲିଙ୍ଗ, ଜିଲ୍ଲାର ସମସ୍ତ ବ୍ଲକ ସଂଯୋଜକ, ପରାମର୍ଶଦାତା, ସାଧନକର୍ମୀ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।