
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଐତିହାସିକ ଠାକୁରାଣୀ ଯାତ୍ରା ବୁଧବାର ସନ୍ଧ୍ୟାରୁ ଦେବୀଙ୍କ ଘଟଯାତ୍ରା ଆରମ୍ଭ ହୋଇଛି ।
ଦେବୀ ଦଶଭୂଜା ବେଶରେ ମା’ ରାମାୟଣାମ୍ମା ଠାକୁରାଣୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମାସାଧିକ ଦିନ ଧରି ସମାହିତ ହୋଇ ଆସୁଥିବା ବର୍ଣ୍ଣାଢ୍ୟ ପଟୁଆରରେ ଦେବୀଙ୍କ ଘଟଯାତ୍ରା ପ୍ରତିଦିନ ସନ୍ଧ୍ୟାରେ ନଗର ପରିଭ୍ରମଣ ଭଳି ଦୃଶ୍ୟ ଅତ୍ୟନ୍ତ ନିଆରା ପରମ୍ପରା ଅଟେ । ପ୍ରଥମ ଦିବସର ଘଟଯାତ୍ରାରେ ସ୍ୱର୍ଗତ ୱାଇ. କାମରାଜୁ ବାବୁଙ୍କ ଘରକୁ ଦେବୀଙ୍କ ଆଗମନ ହୋଇଛି । ଉତ୍ସାହ ଉଦ୍ଦୀପନା ମଧ୍ୟରେ ଦେବୀଙ୍କ ରାଜଭୋଗ ଅର୍ପଣ, ଆରତୀ ବନ୍ଦାପନା, ବିଭିନ୍ନ ବେଶଧାରୀଙ୍କ ସମ୍ମେଳନରେ ଦେବୀଙ୍କ ନଗର ପରିଭ୍ରମଣରେ ଅଗଣିତ ଭକ୍ତଜନ ବିମୋହିତ ହୋଇଛନ୍ତି । ନାନା ବାଦ୍ୟ ଧ୍ଵନି ସହ ଶୋଭାଯାତ୍ରାରେ ଅତାସବାଜି, ରୋଷଣୀରେ ପ୍ରକମ୍ପିତ ହୋଇ ଭକ୍ତିଭାବା ବେଗରେ ଶାକ୍ତ ଧର୍ମ ପରମ୍ପରାକୁ ଉଜ୍ଜୀବିତ କରାଯାଉଛି । ଛତ୍ରପୁର ସହର ଉତ୍ସବ ମୁଖର ହୋଇଉଠିଛି । ଗୁରୁବାର ସନ୍ଧ୍ୟାରେ ଅପର୍-ବସଷ୍ଟାଣ୍ଡ୍ ଅଭିମୁଖେ ଦେବୀଙ୍କ ଆଗମନ ହେବ । ଦ୍ୱିତୀୟ ଦିବସର ଘଟଯାତ୍ରା ସ୍ୱର୍ଗୀୟ ଚିନ୍ତାମଣି ପାଣିଗ୍ରାହୀଙ୍କ ଉତ୍ତର ଦୟାଦ କ୍ରିଷ୍ଣା ପାଣିଗ୍ରାହୀଙ୍କ ବାସଭବନକୁ ଯାଇ ଠାକୁରାଣୀ ତାଙ୍କ ସହଚରୀଙ୍କ ସହ ରାଜଭୋଗ ଖାଇ ସେଠାରୁ ମା’ ରାମାୟଣାମ୍ମା ନିଜ ମାଆ ଘର ଆଡ଼ପ ମଣ୍ଡପ ଅଭିମୁଖେ ପ୍ରତ୍ୟାଗମନ କରିବେ ବୋଲି ଯାତ୍ରା କମିଟି ମୁଖ୍ୟ ପରିଚାଳକ ସି.ଏଚ. ଦୟାନନ୍ଦ ରେଡ୍ଡୀ କହିଛନ୍ତି ।