
ଜୟପାଟଣା, (ଶେଷଦେବ ବେହେରା) : ଚଳିତ ରବି ଋତୁରେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ଆଲୋଚନାର ପରିଧି ସୃଷ୍ଟି କରିଥିବା ବେଳେ ଏବେ ଚାରିଦିନ ଧରି ଜଳସେଚନ ବିନା ସୂଚନାର ବନ୍ଦଥିବା ଘଟଣା ଚାଷୀଙ୍କୁ ଆହୁରି ଆତଙ୍କିତ କରିସାରିଲାଣି । ଚଳିତ ବର୍ଷ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପରୁ କଳାହାଣ୍ଡି ଜିଲ୍ଳାର ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ୧୮୮୫୫ ହେକ୍ଟର ଜମିରେ ଜଳସେଚନ କରାଯାଇଥିବା ବେଳେ ଏବେ ଅନେକାଂଶ ଜମିରେ ଧାନ କେଣ୍ଡା ବାହାରି ବାକୁ ବସିଲାଣି । ଏଭଳି ସ୍ଥିତିରେ ପଞ୍ଜିକରଣରୁ ବାଦ୍ ପଡ଼ିଥିବା ଚାଷୀଙ୍କ ପାଇଁ ଚାରିଦିନ ଧରି ଜଳ ସେଚନ ବନ୍ଦ ବେଢ଼ି ଉପରେ କୋରଡ଼ା ସଦୃଶ ହୋଇ ସାରିଲାଣି । ପାଣି ବନ୍ଦକୁ ନେଇ ଚାଷୀ ଯାନ୍ତ୍ରିକ ତ୍ରୁଟି ବୋଲି ଧରି ନେଇଥିବା ବେଳେ ଏହା ବାସ୍ତବରେ ବ୍ୟବସ୍ଥା ଗତ ତୃଟି ବୋଲି ଆଲୋଚନା ହେଉଛି । ଇନ୍ଦ୍ରାବତୀ ମେଗା ଉଠା ଜଳ ସେଚନ ପ୍ରକଳ୍ପ ୭୫୬କୋଟି ଟଙ୍କାରେ ନିର୍ମାଣର ସହ ଲୋକାର୍ପିତ ହୋଇଥିଲା । ଚୁକ୍ତି ଅନୁଯାୟୀ ଠିକା ସଂସ୍ଥା ଏଲ ଏଣ୍ଡ ଟି ହାତରେ ପାଞ୍ଚ ବର୍ଷ ପାଇଁ ପରିଚାଳନା ଭାର ନ୍ୟସ୍ତ ଥିବା ବେଳେ ଏବେ ତାହାର ଅବଧି ପୂରଣ ହୋଇସାରି ପରବର୍ତ୍ତୀ ଛଅ ମାସ ପାଇଁ ସମୟ ସୀମାକୁ ବୃଦ୍ଧି କରଯାଇଥିଲା । ଏବେ ସୁଦ୍ଧା ପରିଚାଳନା ଦାୟିତ୍ଵ କମ୍ପାନୀ ହାତରେ ରହିଥିବା ବେଳେ ଅଘୋଷିତ ଜଳସେଚନ ବନ୍ଦକୁ ସ୍ଥାନୀୟ ଚାଷୀ କମ୍ପାନୀର ଏହା ଦାୟିତ୍ୱହୀନତା ବୋଲି ଆଲୋଚନା କରୁଛନ୍ତି । ଅପର ପକ୍ଷରେ ପ୍ରକଳ୍ପକୁ ଟେକ୍ନିକାଲ ଏପ୍ରୋଭାଲ ଆଡଭାଇଯର କମିଟି ଦଶ ବର୍ଷ ପାଇଁ ସଂପୃକ୍ତ ଏକ ଠିକା ସଂସ୍ଥାକୁ ନିୟୋଜିତ କରିବା ପାଇଁ ସରକାରୀ ସ୍ଵୀକୃତି ଅପେକ୍ଷାରେ ରହିଥିବା ସହିତ ୬୧.୬୭କୋଟି ଟଙ୍କାର ଟେଣ୍ଡର ଆହ୍ୱବାନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ପାଣି ଛାଡ଼ିବା ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ତିଳୋତ୍ତମା ମାଝୀଙ୍କୁ ପଚାରିବାରୁ ପାଣି ଛଡ଼ା ଯିବ ବୋଲି ପ୍ରକାଶ କରିଥଲେ ।