
ରାଉରକେଲା, (ସସ୍ମିତା ପ୍ରଧାନ) : ନେତାଜୀ ସୁଭାଷ ପ୍ରେକ୍ଷାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଉରକେଲାର ବିଧାୟକ ଶାରଦା ପ୍ରସାଦ ନାୟକ ଓ ସମ୍ମାନୀୟ ଅତିଥି ଭାବେ ସୁନ୍ଦରଗଡ଼ ସାଂସଦ ତଥା କ୍ୟାବିନେଟ ମନ୍ତ୍ରୀ, ଭାରତ ସରକାର ଜୁଏଲ ଓରାମଙ୍କର ପ୍ରତିନିଧି ସୁରେଶ ପଟେଲ, ତଳସରା ବିଧାୟକ ତଥା ଉପବାଚସ୍ପତି, ବିଧାନସଭା, ଓଡ଼ିଶା ଭବାନୀ ଶଙ୍କର ଭୋଇଙ୍କର ପ୍ରତିନିଧି ଶ୍ରୀମତୀ ଲତିକା ପଟ୍ଟନାୟକ, ରଘୁନାଥପାଲ୍ଲୀ ବିଧାୟକ ତଥା ଅଧ୍ୟକ୍ଷ ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଦୁର୍ଗା ଚରଣ ତନ୍ତୀଙ୍କର ପ୍ରତିନିଧି ନିରଞ୍ଜନ ପଟେଲ ଯୋଗ ଦେଇଥିଲେ । ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ସୁନୀତା କିଷାନ୍ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ସହାୟତା ରାଶି ଯଥା – ବିବାହ ସହାୟତା ରାଶି ବାବଦରେ ୧୫୬ ଜଣଙ୍କୁ ଟ ୭୭,୨୫,୦୦୦/- , ମୃତ୍ୟୁ ସହାୟତା ରାଶି ୧୯୯ ଜଣଙ୍କୁ ଟ.୫,୩୭,୦୦,୦୦୦/- , ଅନ୍ତ୍ୟେଷ୍ଟି କାଳୀନ ସହାୟତା ରାଶି ୧୮୭ ଜଣଙ୍କୁ ଟ. ୯,୩୫,୦୦୦/ – , ଶିକ୍ଷା ସହାୟତା ରାଶି ୧୭୭ ଜଣଙ୍କୁ ଟ. ୨୨,୯୧,୦୦୦/- , ପ୍ରସୂତୀ ସହାୟତା ରାଶି ୪୯ ଜଣଙ୍କୁ ଟ. ୪,୯୦,୦୦୦/- ଏହିପରି ଭାବେ ସର୍ବମୋଟ ୬ କୋଟି ୫୧ଲକ୍ଷ ୪୧ ହଜାର ୦୦୦ ଟଙ୍କାର ସହାୟତା ରାଶି ୭୬୮ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏତତ୍ ବ୍ୟତୀତ ୨୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଓଡ଼ିଆ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୨ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ନିମିତ୍ତ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୬୦୦ ଜଣ ନିର୍ମାଣ ଏବଂ ଅଣସଂଗଠିତ ଶ୍ରମିକ, ଟ୍ରେଡ ୟୁନିଅନର କର୍ମକର୍ତ୍ତା ଓ ସୁନ୍ଦରଗଡ଼ ଶ୍ରମ କାର୍ଯ୍ୟାଳୟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।