
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ପକ୍ଷରୁ ଶନିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ୧୯ ଦଫା ସମ୍ବଳିତ ଦାବିପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରେରଣ କରାଯାଇଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ୨୧ଟି ପଞ୍ଚାୟତର ସମସ୍ତ ପିଇଓମାନଙ୍କ ମାଧ୍ୟମରେ ଏହି ଦାବିପତ୍ର ପଠାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସହ ସମ୍ପାଦକ ଶିବାନନ୍ଦ ପରିଚ୍ଛାଙ୍କ ନେତୃତ୍ୱରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟରେ ନିଯୁକ୍ତ ଶ୍ରମିକମାନେ ଦୀର୍ଘଦିନ ଧରି ନାନା ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି ବୋଲି ସଙ୍ଘ ପକ୍ଷରୁ ଉଲ୍ଲେଖ କରାଯାଇଛି । ଏହି ୧୯ ଦଫା ଦାବିପତ୍ରରେ ମୁଖ୍ୟତଃ ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି, ସାମାଜିକ ସୁରକ୍ଷା, କାର୍ଯ୍ୟ ପରିସ୍ଥିତିର ସୁଧାର, ସମୟୋପଯୋଗୀ ପ୍ରଦାନ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବା ପ୍ରସଙ୍ଗ ଉଠାଯାଇଛି । ସଙ୍ଘ ପକ୍ଷରୁ ସରକାରଙ୍କୁ ଏହି ସମସ୍ତ ଦାବିକୁ ଗୁରୁତ୍ୱର ସହ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଏହା ସହ ଦାବିଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଙ୍ଘ ଚେତାବନୀ ଦେଇଛି ।