
ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ୪୩ ତମ ବାର୍ଷିକ ଉତ୍ସବ ‘ସୁରଙ୍ଗୀ-୨୦୨୬’ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଆଲୋକ କୁମାର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ରୋତ କଲେଜକୁ ଏକ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଭାବେ ଟିଟିଲାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଶିବପ୍ରସାଦ ବେହେରା ଯୋଗଦେଇ ଇତିହାସର ଅନେକ ଉଦାହରଣ ସହ ଛାତ୍ରଛାତ୍ରୀମାନଙ୍କୁ ନିଜ ଭାଗ୍ୟ ନିଜେ ଗଢିବାକୁ ପ୍ରେରଣାପ୍ରଦ ଉତ୍ସାହବାଣୀ ପ୍ରଦାନ କରିଥିଲେ । ଆଗଲପୁର ବିଡ଼ିଓ ମହାପାତ୍ର କୁଳଦୀପ ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା ବେଳେ ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ସାଂସ୍କୃତିକ ପରିଷଦର ଉପସଭାପତି ଅଧ୍ୟାପକ ଆର୍ଯ୍ୟେନ୍ଦୁ କୁମାର ମେହେର ବାର୍ଷିକ ବିବରଣୀ ପଠନ ଓ ଡକ୍ଟର ସୁବିଜ୍ଞ ଗଡତ୍ୟା ଦାବିପତ୍ର ପଠନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ବାଣୀ ପ୍ରବାହ’କୁ ମୁଖ୍ୟ ସଂପାଦକ ପ୍ରମୋଦ କୁମାର ଦାଶଙ୍କ ଉପସ୍ଥିତିରେ ଅତିଥିମାନେ ଉନ୍ମୋଚନ କରିଥିଲେ । ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ମାନସ ରଞ୍ଜନ କୁମାର କୃତଜ୍ଞତା ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପିକା ଅନୁସୟା ଭଞ୍ଜଦେଓ, ଗିତାଞ୍ଜଳୀ ଦନ୍ତା, ଛାତ୍ରୀ ବବଲି ବାରିକ ଓ ଲିପିରାଣୀ ପଧାନ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ମହାବିଦ୍ୟାଳୟକୁ ଜମିଦାନ କରିଥିବା ଜୟସିଂ ବରିହାଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ଓ ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଧାୟକ ପାଣ୍ଠିରୁ ନିର୍ମିତ ଅତିରିକ୍ତ ଶ୍ରେଣୀଗୃହ କଠୋରୀକୁ ମନ୍ତ୍ରୀ ଉଦଘାଟନ କରିବା ସହ ତିନି କୋଟି ପଚାଶ ଲକ୍ଷ ଟଙ୍କାର ଏକ ନୂତନ ଛାତ୍ରୀ ନିବାସ ଓ ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ ତରଫରୁ ତିରିଶ ଲକ୍ଷ ଟଙ୍କାର ସୌନ୍ଦର୍ଯ୍ୟୀକରଣ ତଥା ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଂସ୍କୃତି ବିଭାଗ ତରଫରୁ ବଲାଙ୍ଗିରର ଢୋଲ ମହୁରୀ ସାଂସ୍କୃତିକ ପରିଷଦ, ବଡ଼ସାନ ଘୁଡୁକା ନୃତ୍ୟ ଓ କଳାହାଣ୍ଡିର ସର୍ବେଶ୍ଵର ଭୋଇ ଏଣ୍ଡ ଗ୍ରୁପର ନୃତ୍ୟଗୀତ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଅଭିଭାବକ ତଥା ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।