
ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପେନସନ ପ୍ରଦାନ, ସ୍ୱାସ୍ଥ୍ୟବୀମା ଯୋଜନାରେ ସମ୍ପ୍ରସାରଣ, ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ଓଡ଼ିଶା ପ୍ରେସ ଏକାଡେମୀ ଗଠନ ଓ ମୃତ୍ୟୁ ଅନୁକମ୍ପା ରାଶି ଦଶ ଲକ୍ଷ ଟଙ୍କା ବୃଦ୍ଧି ଦାବିରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ଅଶ୍ୱିନୀ କୁମାର ନାଏକଙ୍କ ନେତୃତ୍ୱରେ ଜିଲ୍ଲାର ସାମ୍ବାଦିକମାନେ କଳା ବ୍ୟାଚ୍ ପରିଧାନ ପୂର୍ବକ ପ୍ରତିବାଦ କରିଥିଲେ । ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଦାବି ପ୍ରତି ଆବଶ୍ୟକୀୟ ସମ୍ବେଦନଶୀଳତା ପ୍ରଦର୍ଶନ କରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ବିଭିନ୍ନ ସମୟରେ ନିରନ୍ତର ଧାରଣା, ପ୍ରତିବାଦ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାର ନୀରବଦ୍ରଷ୍ଟା ସାଜିବା ସାମ୍ବାଦିକମାନଙ୍କ ମଧ୍ୟରେ ଘୋର ନୈରାଶ୍ୟତା ସୃଷ୍ଟି କରିଛି । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାମ୍ବାଦିକମାନଙ୍କୁ ସୁରକ୍ଷା ପ୍ରଦାନ ସହିତ ବିଭିନ୍ନ ଦାବି ଗୁଡିକ ପୂରଣ କରିବାକୁ ଦାବି ଜୋର ଧରିଛି । ଏଥିପାଇଁ ଜିଲ୍ଲାର ସମସ୍ତ ସାମ୍ବାଦିକ କଳା ବ୍ୟାଚ ପରିଧାନ ପୂର୍ବକ ନୀରବ ପ୍ରତିବାଦ କରିଥିଲେ । ଏଥିରେ କାର୍ଯ୍ୟକାରୀ ସଭାପତି ସନ୍ଦୀପ କୁଅର, ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମସୁନ୍ଦର ମେହେର, ପୂର୍ବତନ ସଭାପତି ଆନନ୍ଦ ଚନ୍ଦ୍ର ସାହୁ, ଶ୍ୟାମପ୍ରସାଦ ଗୁରୁ, ଉପସଭାପତି ସୁଶାନ୍ତ ବାରିକ, ବିମଳେନ୍ଦୁ ସାହୁ, ମହେଶ କର, ସାରଙ୍ଗ ଭୋଇ, ଅଶୋକ ନାରାୟଣ ଭୋଇଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକ ସାମିଲ ହୋଇଥିଲେ ।