
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌରପାଳିକାର ୱାର୍ଡ ନମ୍ବର ୬, ୭ ଏବଂ ୮ରେ ଦୀର୍ଘଦିନ ହେବ ବିଭିନ୍ନ ସମସ୍ୟାମାନେ ରହିଛି । ସେଥିପାଇଁ ଆଜି ତିନୋଟି ୱାର୍ଡର ବାସିନ୍ଦାମାନେ ଏକତ୍ରିତ ହୋଇ ୧୦ ଦଫା ଦାବି ଯଥା- ୧. ୱାର୍ଡ ନଂ ୭ ରେ ଅବସ୍ଥିତ ହାଟପଦାପଡ଼ା ପାର୍କର ରକ୍ଷଣାବେକ୍ଷଣା ଠିକ୍ ଭାବେ ହେଉନାହିଁ । ଜିମ୍ ଉପକରଣଗୁଡ଼ିକ ସ୍ଥାପନ ନହୋଇ ପଡ଼ିରହିଛି । ପାର୍କରେ ଆଲୋକ ବ୍ୟବସ୍ଥାର ତୁରନ୍ତ ମରାମତି ଓ ନବୀକରଣ ଆବଶ୍ୟକ । ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ସମୟରେ ବିଦ୍ୟୁତ୍ କାଟ ହେଲେ ବ୍ୟବହାରକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨. ମୈତ୍ରୀମହଲ ଛକରୁ ଚିମନିଭାଟି ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ବରପାଲିପଡ଼ା, ଚିମନିଭାଟି (ୱାର୍ଡ ନଂ ୬), ବିଭୂତିପଡ଼ା, ଲକ୍ଷ୍ମୀନଗର, ରାମେଶ୍ୱର ନଗର, ହାଟପଦାପଡ଼ା (ୱାର୍ଡ ନଂ ୭), ବ୍ରାହ୍ମଣପଡ଼ା ଏବଂ ଗାନ୍ଧୀନଗରର କିଛି ଅଂଶ (ୱାର୍ଡ ନଂ ୮) ର ବାସିନ୍ଦା ବ୍ୟବହାର କରୁଛନ୍ତି । ଏହା ବ୍ୟତୀତ ମେଘନାଦପଡ଼ା ଏବଂ ସଡ଼େଇପାଲିର ବାସିନ୍ଦା ମଧ୍ୟ ଏହି ରାସ୍ତା ବ୍ୟବହାର କରନ୍ତି । ବଲାଙ୍ଗିର ପୌରପାଳିକାର ପ୍ରାୟ ୮୦% ଲୋକ ୱାର୍ଡ ନଂ ୭ରେ ଥିବା ପୁରାତନ ଶ୍ମଶାନକୁ ଯିବା ପାଇଁ ଏହି ରାସ୍ତା ବ୍ୟବହାର କରନ୍ତି । ରାସ୍ତାରେ ଅନେକ ଗାତ ସୃଷ୍ଟି ହୋଇଥିବାରୁ ବିଶେଷ କରି ରାତି ସମୟରେ ଯାତାୟତରେ ବହୁତ ଅସୁବିଧା ହେଉଛି । ଏହି ରାସ୍ତାର ତୁରନ୍ତ ଉନ୍ନତିକରଣ ଆବଶ୍ୟକ । ୩. ୱାର୍ଡ ନଂ ୭ରେ ଥିବା ଶ୍ମଶାନଟି ବଲାଙ୍ଗିର ପୌରପାଳିକାର ପ୍ରାୟ ସମସ୍ତ ବାସିନ୍ଦା ବ୍ୟବହାର କରନ୍ତି । ପର୍ଯ୍ୟାପ୍ତ ଆଲୋକ, ପାନୀୟ ଜଳ, ବସିବା ବ୍ୟବସ୍ଥା ଏବଂ ଶବ ସଂସ୍କାର ପାଇଁ ଆସୁଥିବା ଲୋକଙ୍କ ପାଇଁ ସୁବିଧା ନଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସ୍ଥି ରଖିବା ପାଇଁ ଲକର ସୁବିଧା ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ଜରୁରୀ । ସେଠାରେ ନିୟୋଜିତ ଜଗୁଆଳି/ସୁରକ୍ଷା କର୍ମୀ ପ୍ରାୟତଃ ଅନୁପସ୍ଥିତ ରହୁଛନ୍ତି । ଜଗୁଆଳି ଅଭାବରୁ ଶ୍ମଶାନ ଗୃହର କ୍ଷୟକ୍ଷତି ହେଉଛି, ତେଣୁ ଶ୍ମଶାନର ସୁରକ୍ଷା ନିଶ୍ଚିତ କରାଯିବା ଆବଶ୍ୟକ । ୪. ରାମେଶ୍ୱର ନଗରରୁ ଏନ.ଏଚ୍ କୁ ସଂଯୋଗ କରୁଥିବା ରାସ୍ତା (ଘିକିୁଡ଼ି ବନ୍ଧ ଆଡ଼ି ଦେଇ) ନିର୍ମାଣ ପାଇଁ ବାସିନ୍ଦାମାନେ ଦାବି କରୁଛନ୍ତି । ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହେଉଛି । ଏହି ରାସ୍ତାର ଉନ୍ନତିକରଣ ହେଲେ ଆମ୍ବୁଲାନ୍ସ ସହଜରେ ଯାଇପାରିବ । ୫. ରାମେଶ୍ୱର ନଗର ଏବଂ ହାଟପଦା ପଡା ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନାହିଁ । ଫଳରେ ହାଟପଦାପଡ଼ାର ବର୍ଷା ଜଳ ରାମେଶ୍ୱର ନଗର ଦେଇ ଯାଉଥିବାରୁ ପ୍ରବଳ ବର୍ଷା ସମୟରେ ଲୋକଙ୍କ ଘର ଭିତରକୁ ପାଣି ପଶୁଛି । ୱାର୍ଡ ନଂ ୭ ଓ ୮ର ବାସିନ୍ଦାଙ୍କୁ ରକ୍ଷାକରିବା ପାଇଁ ଟିକେଶ୍ୱର ଗୁରୁଙ୍କ ବାସଭବନରୁ ଲକ୍ଷ୍ମୀଜୋର ସାପ୍ତାହିକ ବଜାର ପର୍ଯ୍ୟନ୍ତ ଏକ ଗଭୀର ଡ୍ରେନ୍ ନିର୍ମାଣ ଆବଶ୍ୟକ । ୬. ଗାନ୍ଧୀନଗରପଡ଼ା ଏବଂ ଜୁନହାଡିହି (ୱାର୍ଡ ନଂ ୭ର ଅଂଶ)ର ରାସ୍ତାଗୁଡ଼ିକରେ ତୁରନ୍ତ ଡ୍ରେନେଜ୍ ବ୍ୟବସ୍ଥା ସହ ଉନ୍ନତିକରଣ ଆବଶ୍ୟକ । ୭. (୧) ହାଟପଦାପଡ଼ା କମ୍ୟୁନିଟି ସେଣ୍ଟର, (୨) ଗାନ୍ଧିଜୀ କ୍ଲବ, ଗାନ୍ଧୀନଗରପଡ଼ା ଏବଂ (୩) ନିଦ୍ରା ଗଳି କମ୍ୟୁନିଟି ହଲ୍ ଠାରେ ସାର୍ବଜନୀନ ଶୌଚାଳୟ ନିର୍ମାଣ ଜରୁରୀ । ୮. ୱାର୍ଡ ନଂ ୬, ୭ ଏବଂ ୮ର ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଆବଶ୍ୟକ । ୯. ସାପ୍ତାହିକ ବଜାର ସ୍ଥାନର ଉପଯୁକ୍ତ ଉନ୍ନତିକରଣ ଆବଶ୍ୟକ । ୧୦. ପି.ଆର. ହାଇସ୍କୁଲର ପୁରାତନ ଖେଳପଡ଼ିଆର ଉନ୍ନତିକରଣ ସହ ଆଲୋକ, ବସିବା, ପାନୀୟ ଜଳ ଏବଂ ଡ୍ରେନେଜ୍ ବ୍ୟବସ୍ଥା କରାଯାଉ । ଆଦିକୁ ନେଇ ବଲାଙ୍ଗିର ପୌରପରିଷଦର ଅଧ୍ୟକ୍ଷା ଲିକା ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କୁ ସାକ୍ଷାତ କରି ଉପସ୍ଥାପନ ତଥା ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ତିନି ପଡାର ପ୍ରାୟ ୩୦୦ ଲୋକ ଦସ୍ତଖତ ଦେଇଥିଲେ । ଆଜି ତିନି ୱାର୍ଡର ବୁଦ୍ଧିଜୀବୀ, ଯୁବକ, ମହିଳା ସମେତ ପ୍ରାୟ ୫୦ ରୁ ଅଧିକ ଲୋକ ଯାଇ ଦାବିପତ୍ର ଜଣାଇଥିବା ବେଳେ ଉଭୟ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀ ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବା ବେଳେ ୱାର୍ଡ ବାସିନ୍ଦା ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସମୟରେ ସ୍ଥାନୀୟ ବାସିନ୍ଦା ଲୋଟସ ଷଡ଼ଙ୍ଗୀ, ସଚିତାନନ୍ଦ ଶତପଥି, ଦିଗାମ୍ବର ତ୍ରିପାଠୀ, ଭ୍ରମକର କାଣ୍ଡି, ସାନ୍ତୁନୁ ମିଶ୍ର, ଜଗନ୍ନାଥ ମିଶ୍ର, ପବିତ୍ର ଖୁଣ୍ଟିଆ, ମୂରଲୀଧର ପତି, ସୁରେନ୍ଦ୍ର ମିଶ୍ର, କିଶୋର ଦଣ୍ଡସେନା, ଟିକୁ ପରିଛା, ବିଭୁଦତ୍ତ ଗୁରୁ, ପୃଥ୍ୱୀରାଜ ବରାଡ଼, ଲକ୍ଷ୍ମୀ ସ୍ୱାଇଁ, ମୁନା ପାଳ, ଦେବେନ୍ଦ୍ର ସାହୁ, ନୀତିଆ ପଧାନ, ସନତ ତ୍ରିପାଠୀ, ଦେବେନ ପାତ୍ର, ଗୋବିନ୍ଦ ଶତପଥି, ବେଳାର ଥପା, ରାଜୁ ସାହୁ, ସନ୍ତୋଷ ସାହୁ ସହ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।