
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କିଭଳି ଏହି ସମୟରେ ଏହାକୁ ସାମ୍ନା କରାଯିବ ସେନେଇ ସ୍ୱତନ୍ତ୍ର ପ୍ରସ୍ତୁତି ସରିଛି । ମନ୍ତ୍ରୀ କହିଛନ୍ତି ଯେ, ପ୍ରକୃତି ଅସ୍ୱବାଭାବିକ ପ୍ରଭାବ ଦେଖାଉଛି । ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେଉଛି । ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସରକାରଙ୍କ ତରଫରୁ ଅନେକ ସମୟରେ ବାରମ୍ବାର ଆଲୋଚନା ଜାରି ରହିଛି । ସେ ଆହୁରି କହିଛନ୍ତି, ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ମାଲ ପରିବହନ ଗାଡ଼ି ଏବଂ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ୧୧ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାକୁ ଆସିବ ନାହିଁ । ଶ୍ରମିକମାନଙ୍କୁ ମଧ୍ୟ ଏହି ସମୟରେ କାମ ନ କରିବାକୁ ପରାମର୍ଶ ଦିଆଯାଇଛି । ପଞ୍ଚାୟତିରାଜ ବିଭାଗ ଏବଂ ନଗର ଉନ୍ନୟନ ବିଭାଗକୁ ଜଳଛତ୍ର କରିବା ପାଇଁ କୁହାଯାଇଛି । ପିଏଚ୍ସି ଏବଂ ସିଏଚ୍ସିରେ ଅଂଶୁଘାତ ଜନିତ ସ୍ପେଶାଲ ଟ୍ରିଟମେଣ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଆଲୋଚନା କରୁଛନ୍ତି ଯେ ‘ହିଟ୍ ୱେଭ୍ ରିଲିଫ୍ ସେଣ୍ଟର’ ତିଆରି ହେବ । ଗ୍ରୀଷ୍ମ ପ୍ରବାହରୁ କିପରି ଲୋକମାନେ ମୁକ୍ତି ପାଇପାରିବେ, ସେଥିପାଇଁ ଏହା ସ୍ଥାପନ କରିବାକୁ ଆଲୋଚନା ଚାଲିଛି ।