mahavir

ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ କୁପୋଷଣ ମୁକ୍ତ କରାଯିବା ସାଂଗକୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନର ବିକାଶଶୀଳ କରାଯିବା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୁଇଦିନିଆ ଗଞ୍ଜାମ ଜିଲ୍ଲାରେ ଗସ୍ତରେ ଆସି ପ୍ରଥମ ଦିବସରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ସୁଭଦ୍ରା ଯୋଜନାର ସଫଳତା ଏବଂ ଆଲୋଚନା ଆଳାପ କରି ଲକ୍ଷପତି ଦିଦିଙ୍କୁ ସାଧୁବାଦ ଜଣାଇ ଉତ୍ସାହିତ କରିଥିଲେ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୁକ୍ରବାର ଗଞ୍ଜାମ ଜିଲ୍ଲାଗସ୍ତରେ ଆସି ସ୍ଥାନୀୟ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲବନ୍ତ ସିଂ, ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ସମସ୍ତ ଅତିରିକ୍ତ ଜ଼ିଲ୍ଲାପାଳ, ଉପଜିଲ୍ଲାପାଳ, ଜନପ୍ରତିନିଧି, ଜିଲ୍ଲାସ୍ତରୀୟ ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମହିଳା ଓ କିଶୋରୀମାନଙ୍କ ସଶକ୍ତୀକରଣ ବିନା ସମାଜର ପ୍ରକୃତ ବିକାଶ ସମ୍ଭବ ନୁହେଁ । ସମ୍ପୂର୍ଣ୍ଣା ଶ୍ରୀ ମିଶନ ଓ ନିର୍ଭୟା କଢ଼ି ଭଳି ପଦକ୍ଷେପ ଗଞ୍ଜାମକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି । ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ଅଙ୍ଗନୱାଡି କେନ୍ଦ୍ରରେ ଖାଲିଥିବା ପଦବୀଗୁଡିକ ପୁରଣ କରିବାକୁ ପରାମର୍ଶ ଦେବା ସହ ଜିଲ୍ଲାର ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନିର୍ମାଣ, ବିଦ୍ୟୁତ ସଂଯୋଗ, ଶୌଚାଳୟ ନିର୍ମାଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଯେଉଁଠାରେ ଆଶା ଅନୁରୂପ ବିଦ୍ୟୁତ ସଂଯୋଗ ନାହିଁ ସେଠାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବିଦ୍ୟୁତ ସଂଯୋଗ କରିବାପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ କୁ-ପୋଷଣ ମୁକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ତା ସହ ଜଗନ୍ନାଥ ସର୍କିଟ, ବିଚ ସର୍କିଟ ଓ ଶକ୍ତି ସର୍କିଟର ବ୍ୟାପକ ଉନ୍ନତିକରଣ କରାଯିବ ବୋଲି ସେ କହିଛନ୍ତି । ସୁଭଦ୍ରା ଯୋଜନା, ବେଟି ବଚାଓ ବେଟି ପଢ଼ାଓ, ପୋଷଣ କାର୍ଯ୍ୟକ୍ରମ, ନିର୍ଭୟା କଢି, ସ୍ୱୟଂ ସହାୟିକା ଗୋଷ୍ଠୀ ଉପରେ ମଧ୍ୟ ସେ ସମୀକ୍ଷା କରିଥିଲେ । ଆସ୍କା ସାଂସଦ ଅନିତା ଶୁଭଦର୍ଶନୀ ଆସ୍କା ସଂସଦୀୟ କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଏବଂ ଗଞ୍ଜାମର ପଞ୍ଚଲିଙ୍ଗେଶ୍ୱର ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ତାମ୍ପରା ହ୍ରଦର ପୁନଃରୁଦ୍ଧାର କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବରିଷ୍ଠ ତୀର୍ଥ ଯାତ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୭୭୫ ଜଣ ହିତାଧିକାରୀ ଅଯୋଧ୍ୟା, ବାରଣାସୀ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୭୭୫ ଜଣ ହିତାଧିକାରୀ ଉଜ୍ଜୟିନୀ, ଓଁକାରେଶ୍ୱର ଭ୍ରମଣ କରିଥିଲେ ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବୈଠକକୁ ଅବଗତ କରିଥିଲେ । ଏହି ଅବସରରେ ସେ ଜିଲ୍ଲାର ସୁଭଦ୍ରା ଶକ୍ତି ଓ ଲକ୍ଷପତି ଦିଦିଙ୍କ ସହ ଉପମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରି ସେମାନଙ୍କ ଅନୁଭୂତି ଓ ସଫଳତାର କାହାଣୀ ଶୁଣିବା ସହ ଅନ୍ୟମାନଙ୍କୁ ଅନୁପ୍ରେରିତ କରିଥିଲେ । ଏହା ସହ ‘ସମ୍ପୂର୍ଣା ଶ୍ରୀ ମିଶନ’ର ଲୋଗୋ ଓ ଏସଓପିକୁ ଉପମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । ଗଞ୍ଜାମ ବ୍ଲକର କିଶୋରୀମାନଙ୍କ ଦ୍ୱାରା ‘ନିର୍ଭୟା କଢ଼ି’ ଅଭିଯାନ ଗୀତ ପରିବେଷଣ କରାଯାଇଥିଲା । ଏହି ଅଭିଯାନ ବାଲ୍ୟ ବିବାହ ରୋକିବା ଓ କିଶୋରୀ ସଶକ୍ତୀକରଣ ଦିଗରେ ଜିଲ୍ଲାର ଏକ ଅଭିନବ ପଦକ୍ଷେପ ଅଟେ । ଗଞ୍ଜାମ ସମର୍ପଣ, ବ୍ରହ୍ମପୁରୀ ପାଟ ଓ ପାଟ ଫ୍ରେମ୍ ଉପରେ ମଧ୍ୟ ବୈଠକରେ ଉପସ୍ଥାପନା କରାଯାଇଥିଲା ।

Leave A Reply

Your email address will not be published.