mahavir

ଏପ୍ରିଲ ୧୩ରେ ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’ରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

  • ସମ୍ମେଳନରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ସଫଳ ମହିଳାମାନେ ଯୋଗଦେବେ
  • ୨୦୪୭ ସୁଦ୍ଧା ବିକଶିତ ଭାରତ ଦିଗରେ ଯାତ୍ରାରେ ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିବ ସମ୍ମେଳନ
  • ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କ ଅଧିକ ପ୍ରତିନିଧିତ୍ୱର ଗୁରୁତ୍ୱକୁ ଦର୍ଶାଇବା ଲାଗି ଆୟୋଜିତ ହେଉଛି ଏହି ସମ୍ମେଳନ

ନୂଆଦିଲ୍ଲୀ, (ପିଆଇବି) : ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ସ୍ତରର ‘‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’’ ଆୟୋଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ସେ ମଧ୍ୟ ଏକ ଜନସଭାକୁ ସମ୍ବୋଧିତ କରିବେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ସଫଳ ମହିଳାମାନେ ଅଂଶଗ୍ରହଣ କରିବେ। ସରକାରୀ, ଶିକ୍ଷା, ବିଜ୍ଞାନ, କ୍ରୀଡା, ଉଦ୍ୟୋଗୀତା, ଗଣମାଧ୍ୟମ, ସାମାଜିକ କାର୍ଯ୍ୟ ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନେ ସମ୍ମେଳନରେ ଏକତ୍ରିତ ହେବେ।
ସେପ୍ଟେମ୍ବର ୨୦୨୩ରେ, ସଂସଦ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ଅନୁମୋଦନ କରିଥିଲା ଯାହା ବିଧାନପାଳିକାଗୁଡ଼ିକରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଇନରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ, ସାରା ଦେଶରେ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ ଦେଇ ୧୬ ଏପ୍ରିଲରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯିବ।
ଭାରତର ବିକାଶ ମାର୍ଗ ଗଠନରେ ମହିଳାମାନଙ୍କ ଅଧିକ ଅଂଶଗ୍ରହଣ ଲାଗି ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଏହି ସମ୍ମେଳନ ଆୟୋଜନ କରାଯାଉଛି। ଏହା ପଞ୍ଚାୟତ ଠାରୁ ସଂସଦ ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଶାସନ ଏବଂ ନେତୃତ୍ୱ କ୍ଷେତ୍ରରେ ମହିଳାମାନଙ୍କର ବର୍ଦ୍ଧିତ ଭୂମିକାକୁ ମଧ୍ୟ ଉଜ୍ଜ୍ୱଳ କରିବ। ଏହି କାର୍ଯ୍ୟକ୍ରମ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାମାନଙ୍କର ପ୍ରତିନିଧିତ୍ୱ ବୃଦ୍ଧିକୁ ଗୁରୁତ୍ୱ ଦେବ।
ଏହି ସମ୍ମେଳନ ବିକଶିତ ଭାରତ ୨୦୪୭ ଯାତ୍ରାରେ ମହିଳାମାନଙ୍କ ଭୂମିକା ଉପରେ ଆଲୋକପାତ କରିବ। ଏହା ବିକଶିତ ଭାରତ ୨୦୪୭ ସଂକଳ୍ପର ଏକ ପ୍ରମୁଖ ସ୍ତମ୍ଭ ଭାବରେ ମହିଳାମାନଙ୍କ ନେତୃତ୍ୱାଧୀନ ବିକାଶ ପ୍ରତି ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ।

Leave A Reply

Your email address will not be published.