ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକକୁ ଉପଖଣ୍ଡ ମାନ୍ୟତା ଦାବୀରେ ଆଖପାଖ ଅଞ୍ଚଳର ବାସିନ୍ଦା ମାନଙ୍କ ପକ୍ଷରୁ ତରଭା ବ୍ଲକ୍ ସାମ୍ୱାଦିକ ସଂଘ ଏକ ଦାବୀପତ୍ର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କୁ ପ୍ରଦାନ କରିଛି । ଏହି ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରଯାଇଥିବା ବେଳେ ଏହାର ନକଲ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ବଲାଙ୍ଗିର ସାଂସଦ, ସୋନପୁର ବିଧାୟକଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଉଲ୍ଲେଖ ଅଛି ଯେ, ତରଭାକୁ ଏକ ପୃଥକ ଉପଖଣ୍ଡରେ ପରିଣତ କରିବା ପାଇଁ ଆମର ଦୀର୍ଘ ବର୍ଷର ଦାବୀ ରହିଛି । ଏହି ଦାବୀ ଏହି ଅଞ୍ଚଳର ଭୌଗଳିକ, ପ୍ରଶାସନିକ ଓ ଜନସଂଖ୍ୟା ଉପରେ ଆଧାରିତ ଯାହା ୧୯୯୨ ମସିହାରୁ ଲଗାତାର ପ୍ରସଙ୍ଗ ରହି ଆସିଛି । ସୁବର୍ଣ୍ଣପୁର ଜିଲ୍ଲାରେ ଅବସ୍ଥିତ ଏକ ମହତ୍ୱପୂର୍ଣ୍ଣ ସହର, ଯାହା ଜିଲ୍ଲାର ପଶ୍ଚିମାଞ୍ଚଳର ପ୍ରଶାସନିକ ଓ ଅର୍ଥନୈତିକ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି । ୧୯୬୭ ମସିହାରେ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ରେ ପରିଣତ ହୋଇଥିବା ତରଭାରେ ତିନୋଟି ରାଜସ୍ୱ ଗ୍ରାମ (ତରଭା, ଅନ୍ତର୍ଡ଼ା ଓ ଫଟାମୁଣ୍ଡା) ରହିଛି । ୧୨ଟି ୱାର୍ଡରେ ବିଭକ୍ତ ଏହି ସହରର ଜନସଂଖ୍ୟା ୧୦ ହଜାରରୁ ଉର୍ଦ୍ଧ୍ଵ ବ୍ୟାପକ ତରଭା ତହସିଲ ଓ ବ୍ଲକର କ୍ଷେତ୍ରଫଳ ୩୩୦ ବର୍ଗ କିମି ଏବଂ ଜନସଂଖ୍ୟା ୧୨୭୦୨୬ (୨୦୧୧ ଜନ ଗଣନା ଅନୁଯାୟୀ) ରହିଛି । ତରଭା ବ୍ଲକ ଅଧୀନରେ ୨୧ଟି ଗ୍ରାମ ପଞ୍ଚାୟତ ଯାହା ଏହି ଅଞ୍ଚଳର ବ୍ୟାପକ ଗ୍ରାମୀଣ ପ୍ରସାରଣ ଓ ପ୍ରଶାସନିକ ଭାରକୁ ଦର୍ଶାଉଛି । ଏହି ସହରରେ ବ୍ଲକ କାର୍ଯ୍ୟାଳୟ, ତହସିଲ ଓ ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ (ଜେଏମଏଫସି) କୋର୍ଟ ଭଳି ଆବଶ୍ୟକ ପ୍ରଶାସନିକ ଭିତ୍ତିଭୂମି ରହିଛି, ଯାହା ଏହାକୁ ଉପଖଣ୍ଡ ମୁଖ୍ୟାଳୟ ଭାବରେ କାର୍ଯ୍ୟ କରିବାକୁ ପୂର୍ବ ପ୍ରସ୍ତୁତ କରିଛି । ତରଭା ବ୍ଲକରେ ତିନୋଟି ଡିଗ୍ରୀ କଲେଜ ଓ ସାତୋଟି ଯୁକ୍ତ-୨ କଲେଜ, ୨୧ଟି ହାଇସ୍କୁଲ, ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ରହିଛି । ତରଭା ତହସିଲ ଅଧୀନରେ ୭ଟି ଆରଆଇ ସର୍କଲ ରହିଥିବା ବେଳେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୪ଟି ପିଏଚ୍ସି ଓ ୧୪ ଟି ସବ ସେଣ୍ଟର ଅଛି । ତରଭା ଅଞ୍ଚଳରେ ୨ଟି ରାଷ୍ଟ୍ରାୟତ ବ୍ୟାଙ୍କ ଓ ୩ଟି ଓଡିଶା ଗ୍ରାମୀଣ ବ୍ୟାଙ୍କ ରହିଛି । ତରଭା ଆଇସିଡିଏସ ଅଧୀନରେ ୨୬୧ଟି ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ କରୁଛି । ଏଠାରେ ପ୍ରାଣୀଧନ ଚିକିତ୍ସାଳୟ, କୃଷି କାର୍ଯ୍ୟାଳୟ, ଜଳସେଚନ ବିଭାଗ ପ୍ରଭୃତି କାର୍ଯ୍ୟାଳୟ ମାନ ରହିଛି । ୪୮୯.୯ ବର୍ଗ କିମି ପରିବ୍ୟାପ୍ତ ତରଭା ଥାନା ଅଧୀନରେ ୨ଟି ପୁଲିସ ଫାଣ୍ଡି ରହିଛି । ଏହା ଅଧୀନରେ ମୋଟ ୨୪ ଟି ଗ୍ରାମ ପଞ୍ଚାୟତ ରହିଥିବାବେଳେ ଜନସଂଖ୍ୟା ୧ ଲକ୍ଷ ୩୦ ହଜାର (୨୦୧୧ ଜନଗଣନା)ରୁ ଅଧିକ ରହିଛି । ଏହି ଦାବୀକୁ ପ୍ରାଥମିକତା ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଟ ସାମ୍ୱାଦିକ ଅଶୋକ ସାହୁ, ମାନଭଞ୍ଜନ ମିଶ୍ର, କପିଳାସ ସେଠ୍, ଅନ୍ତର୍ଯ୍ୟାମୀ ସାହୁ, ସୁକାନ୍ତ ମିଶ୍ର ପ୍ରମୁଖ ସାମିଲ ଥିଲେ ।